ରାଜ୍ୟରେ ବନ୍ୟା କ୍ଷୟକ୍ଷତି ନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର: ଡ.ଲେଖାଶ୍ରୀ ସାମନ୍ତ ସିଂହାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ସରକାର ବନ୍ୟା କ୍ଷୟକ୍ଷତି ଆକଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କଲେ ? କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ବନ୍ୟା ସହାୟତା ରାଶି ଘୋଷଣା କରିଛନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ଡ.ଲେଖାଶ୍ରୀ ସାମନ୍ତ ସିଂହାର। ସେ ଆହୁରି କହିଛନ୍ତି ଯେ, ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ରାଜ୍ୟ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ।

ଲେଖାଶ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଚାହିଁଥିଲେ ଚଳିତ ବର୍ଷ ବନ୍ୟାକୁ ରୋକି ପାରିଥାନ୍ତେ । କିନ୍ତୁ ଏହା ନକରି ଚଳିତ ବନ୍ୟା ମୁକାବିଲା ପାଇଁ ଅପ୍ରସ୍ତୁତ ଥିବା ରାଜ୍ୟ ସରକାର ପାଣିପାଗ ବିଭାଗ ସୂଚନା ଦେଲା ଭଳି କେବଳ ପ୍ରେସ୍ ବିବୃତି ଜରିଆରେ ସତର୍କ ସୂଚନା ଓ ନିର୍ଦ୍ଦେଶନାମା ଜାରି କରି ଦାୟୀତ୍ୱ ସମାପ୍ତ କରିଥିଲେ । ଜଳସମ୍ପଦ ବିଭାଗ, ମନ୍ତ୍ରୀ ଓ ରିଲିଫ କମିଶନଙ୍କ କଥାରେ ତାଳମେଳ ରହୁନଥିଲା । ରାଜ୍ୟ ସରକାରଙ୍କ ଅବହେଳା, ଦାୟିତ୍ୱହୀନତା ଏବଂ ଅପାରଗ କାରଣରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏପରି ଅଭାବନୀୟ ବନ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପଂହଚିବାରେ ବିଫଳ ହୋଇଥିଲେ । ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଡାକିଆଣିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । କୃଷିମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ ଏବଂ ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ । ବିଜେପିର ବାରମ୍ବାର ଦାବୀ ପରେ ପ୍ରକୃତ କ୍ଷୟକ୍ଷତି ଆକଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଗତ କାଲି ତରବରିଆ ଭାବେ ଏକ କ୍ଷୟକ୍ଷତି ରିପୋର୍ଟ ପ୍ରକାଶିତ କରିଛନ୍ତି । ୧୨୮ କୋଟି ଟଙ୍କାର ବନ୍ୟା ସହାୟତା ରାଶି ଘୋଷଣା ସଂପୂର୍ଣ୍ଣ ତୃଟିପୂର୍ଣ୍ଣ ଏବଂ ତଥ୍ୟ ଆଧାରିତ ନୁହେଁ । ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପୋଷିବା ପାଇଁ ୧୨୮ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ।

ଲୋକଙ୍କୁ ବିଭ୍ରାନ୍ତ ନକରି କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ରାଜ୍ୟ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବୀ କରିଛନ୍ତି ।

Related Posts