ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଦୁର୍ନୀତି ବିରୋଧୀ ହେଲ୍ପଲାଇନ ନମ୍ବରରେ ଲାଞ୍ଚ ନେଉଥିବାର ଅଭିଯୋଗ ପରେ ଗିରଫ ହେଲେ ମହିଳା କିରାଣୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଭାରତରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାହିଁକିନା ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ମଧ୍ୟରେ ଭଗୱନ୍ତ ରାଜ୍ୟର ଦୁର୍ନୀତିକୁ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ୱର ଜାରି କରା ଯାଇଥିଲା। ଏହି ହେଲ୍ପଲାଇନ ନମ୍ୱରରେ ମିଳିଥିବା ଅଭିଯୋଗ ଅନୁସାରେ ଜଣେ ମହିଳାଙ୍କୁ ପ୍ରଥମେ ଗିରଫ କରାଯାଇଛି। ସେଠାରେ ଏହି ହେଲ୍ପ ଲାଇନ ନମ୍ବର ମାର୍ଚ୍ଚ ୨୩ ତାରିଖ ଦିନ ଲାଗୁ କରାଯାଇଥିଲା । ଗତକାଲି ହୋଇଥିବା ଅଭିଯୋଗ ଅନୁସାରେ ତହସିଲ-୦୧ କାର୍ୟ୍ୟାଳୟର ଜଣେ ମହିଳା କିରାଣୀ ଚାକିରି କରାଇ ଦେବା ପାଇଁ ୪ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମହିଳା କିରାଣୀଙ୍କୁ ଗିରଫ କରାଯାଇଛି ।
ସେପଟେ ଅଭିଯୋଗରେ କୁହାଯାଇଛି ତହସିଲ-୧ କାର୍ଯାଳୟର ମହିଳା କିରାଣୀ ୪ଲକ୍ଷ ୮୦ ହଜାର ଟଙ୍କା ଚାକିରି ଦେବା ପାଇଁ ଲାଞ୍ଚ ନେଇଥିଲେ । ଏହି ମହିଳା କିରାଣୀ ଗୋଟିଏ ବର୍ଷରେ ଅଭିଯୋଗକାରୀଙ୍କ ପାଖରୁ ୪ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ଅଧିକ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ବେଳେ ୧ ଲକ୍ଷ ଟଙ୍କା ନଗଦ ନେଇଥିଲେ। ସମ୍ପୃକ୍ତା କିରାଣୀ ଜଣଙ୍କ ଦୁଇ ମାସର ଗର୍ଭବତୀ ବୋଲି ଚେକଅପ ପରେ ଜଣା ପଡିଛି ଓ ପରେ ତାଙ୍କୁ ହେପାଜତରେ ନିଆଯାଇଛି । ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରି ଦିଆଯାଇଛି । ଏହିଘଟଣାର ତଦନ୍ତ ପରେ କରାଯାଇଥିବା ଅଭିଯୋଗ ସତ ବୋଲି ମନିଟରିଙ୍ଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।
