ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦଳକୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ଵ ଦିଅନ୍ତି ନାହିଁ: ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ତଥା ଏହାର ନେତାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ଵ ଦିଅନ୍ତି ନାହିଁ। ଏକ ଡିଜିଟାଲ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କିଛି ଏଭଳି କହିଛନ୍ତି ହିମାଚଳ ପ୍ରଦେଶର କଂଗ୍ରେସ ସଭାପତି। ସାକ୍ଷାତକାରର ଭିଡିଓ ଅନୁଯାୟୀ କଂଗ୍ରେସର ହିମାଚଳ ପ୍ରଦେଶ ୟୁନିଟ୍ ସଭାପତି ପ୍ରତିଭା ସିଂ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ତଥା ଏହାର ନେତାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ୱ ଦେଉ ନାହାନ୍ତି। ଶ୍ରୀମତୀ ସିଂ କହିଛନ୍ତି ଯେ, ‘ମୁଁ ଭାବୁଛି ଦଳରେ ଟିକିଏ ଜେନେରେସନରେ ଦୂରତା ଅଛି। ଆମର ବରିଷ୍ଠ ନେତା ମାନେ ଯାହା କରୁଥିଲେ, ବର୍ତ୍ତମାନ ଯୁବକମାନେ ତାହା କରୁ ନାହାନ୍ତି । ପୂର୍ବରୁ ସୋନିଆ ଜୀ, ଇନ୍ଦିରା ଜୀ କିମ୍ବା ରାଜୀବ ଜୀ ଯାହା କରୁଥିଲେ, ଆଜିର ପିଢ଼ି ତାହା କରନ୍ତି ନାହିଁ।” ଯଦିଓ ଏକଥା‌ ସାକ୍ଷାତକାର ସମୟରେ ପ୍ରତିଭା ସିଂ କହିଥିଲେ କିନ୍ତୁ ପରେ ଏହି ସାକ୍ଷାତକାର ଭିଡିଓକୁ ଡିଲିଟ କରିଦେବାକୁ ସେ ସଂପୃକ୍ତ ୱେବସାଇଟକୁ ଅନୁରୋଧ କରିଛନ୍ତି।

ତେବେ ଅନଲାଇନରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଶୁଣିବାକୁ ମିଳୁଛି ଯେ, ‘ମୁଁ ଦୁଃଖିତ ଯେ ରାହୁଲଜୀ କିମ୍ବା ପ୍ରିୟଙ୍କାଜୀ ଦଳୀୟ କର୍ମୀଙ୍କୁ ସେତେ ସମୟ ଦିଅନ୍ତି ନାହିଁ, ତେଣୁ ଲୋକମାନେ ନିରାଶ ଅନୁଭବ କରନ୍ତି। ଦଳର ନେତାମାନଙ୍କୁ ମଧ୍ୟ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ। ଅନେକ ଲୋକ ଥିଲେ, ଯେଉଁମାନେ ଦଳ ଛାଡିଛନ୍ତି ଏବଂ ଆପଣ ଜାଣନ୍ତି (ଗୁଲାମ ନବୀ) ଆଜାଦ ଜୀ ଏତେ ଦିନ ପର୍ଯ୍ୟନ୍ତ ଦେଶ ସେବା କରିବା ପରେ କଣ କଲେ |” ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା କହିଛନ୍ତି ଯେ ବର୍ତ୍ତମାନ ରାହୁଲଜୀଙ୍କର ସଂସଦରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଚାଲିଛି । ତେଣୁ ମୁଁ ଭାବୁଛି ସେ ଶିଖିବା ଉଚିତ୍ । ମୁଁ ସେମାନଙ୍କୁ ପରାମର୍ଶ ଦେଉନାହିଁ | ଦଳର ସ୍ୱାର୍ଥ ପାଇଁ ଲୋକମାନଙ୍କୁ କିଛି ସମୟ ଦିଅନ୍ତୁ, ସେମାନଙ୍କ ଅଭିଯୋଗ ଶୁଣନ୍ତୁ ଓ କିଛି ଶିଖିବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଛନ୍ତି|

Related Posts