ଶିବସେନାର ଦଶହରା ରାଲି; ଶିବାଜୀ ପାର୍କରେ ରାଲି ପାଇଁ ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କ ଆବେଦନ ଖାରଜ କଲା ବିଏମସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ବର୍ଷ ଧରି ଶିବାଜୀ ପାର୍କରେ ଦଶହରା ରାଲି ପାଳି ଆସୁଥିବା ଶିବସେନାକୁ ଚଳିତ ବର୍ଷ ଏଥିପାଇଁ ଅନୁମତି ମିଳିନାହିଁ। ଦଶହରା ରାଲି ପାଇଁ ଶିବସେନାକୁ ଅନୁମତି ଦେବାକୁ ମନା କରିଛି ବ୍ରିହାନ ମୁମ୍ବାଇ ମୁନ୍ସିପାଲ କର୍ପୋରେଶନ। ଅନୁମିତି ପାଇଁ ଶିବସେନା ପକ୍ଷରୁ କରାଯାଇଥିବା ଆବେଦନକ ଗୁରବାର ମ୍ୟୁନ୍ସିପାଲ କର୍ପୋରେଶନ ନାମଞ୍ଜୁର କରିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୌର ସଂସ୍ଥା ପକ୍ଷରୁ ଏହି ନିଷ୍ପତ୍ତି ନିଅଯାଇଛି। କେନ୍ଦ୍ରୀୟ ମୁମ୍ବାଇରେ ଥିବା ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ କାହାରିକୁ ରାଲି ପାଇଁ ଅନୁମତି ଦେଇ ନାହିଁ ପୌର ସଂସ୍ଥା। ଉଭୟ ଗୋଷ୍ଠୀଙ୍କ ଆବେଦନକୁ ଖାରଜ କରିଦିଆଯାଇଛି। ଅନ୍ୟପଟେ ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଗତକାଲି ବମ୍ବେ ହାକୋର୍ଟରେ ଦ୍ୱାରସ୍ଥ ହୋଇଥିଲା।

କେନ୍ଦ୍ରୀୟ ମୁମ୍ବାଇରେ ଥିବା ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା ଲାଗି ଅନୁମତି ଦେବାକୁ ଦାବି କରି ଶିବସେନା ହାଇକୋର୍ଟରେ ଅପିଲ କରିଛି। ଏହି ପାର୍କରେ ଶିବସେନା ପ୍ରତିବର୍ଷ ବାର୍ଷିକ ଦଶହରା ଶୋଭାଯାତ୍ରା ପାଳନ କରି ଆସୁଛି। ଶିବସେନା ପକ୍ଷରୁ ସଚିବ ଅନିଲ ଦେଶାଇ ଆବେଦନ କରିଛନ୍ତି। ସେଥିରେ କୁହାଯାଛି ଯେ, ଦଶହରା ଶୋଭାଯାତ୍ରା ଲାଗି ଦଳ ପକ୍ଷରୁ ମୁମ୍ବାଇ ସିଭିକ ବଡି(ପୌର କର୍ତ୍ତୃପକ୍ଷ)ଙ୍କ ନିକଟରେ ଆବେଦନ କରିଛନ୍ତି। କିନ୍ତୁ ପୌର କର୍ତ୍ତୃପକ୍ଷ ଏପପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ଅନ୍ୟପକ୍ଷରେ ପୂଜା ପାଖେଇ ଆସୁଥିବାରୁ ଦଳ ପକ୍ଷରୁ ମଧ୍ୟରୁ ପ୍ରସ୍ତୁତି ଆଗେଇ ପାରୁନି। ଗତ ଅଗଷ୍ଟରେ ଏହି ଆବେଦନ କରାଯାଇଥିଲା। ବ୍ରିହାନ ମୁମ୍ବାଇ କର୍ପୋରେଶନକକୁ ତୁରନ୍ତ ଅନୁମତି ମଞ୍ଜୁର କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି। ଜଷ୍ଟିସ ଆରଡି ଧନୁକାଙ୍କ ଇଜଲାସରେ ଏହି ଆବେଦନ କରାଯାଇଛି। ତେବେ ହାଇକୋର୍ଟରେ ଆବେଦନର ଦିନକ ପରେ ମ୍ୟୁନ୍ସିପାଲ କର୍ପୋରେଶନ ନିଷ୍ପତ୍ତି ଶୁଣାଇଛି। ଏଥିରେ ଶିବସେନାକୁ ନିରାଶ ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ ଯେ, ୧୯୬୬ରୁ ମୁମ୍ବାଇ ଶିବାଜୀ ପାର୍କରେ ସେନା ପକ୍ଷରୁ ପ୍ରତିବର୍ଷ ଦଶହରା ଶୋଭାଯାତ୍ରା ପାଳନ କରାଯାଇ ଆସୁଛି। ପ୍ରତିବର୍ଷ ପୌର ସଂସ୍ଥା ଏଥିପାଇଁ ଅନୁମତି ଦେଇ ଥାଏ। ଗତ ଜୁନ୍‌ ମାସରେ ଉଦ୍ଧବଠାକରେଙ୍କ ନେତୃତ୍ୱାଧୀନ ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାରର ପତନ ହୋଇଥିଲା। ଶିବସେନାରେ ଏକନାଥ ସିନ୍ଦେ ବିଦ୍ରୋହ କରିବା ପରେ ଉଦ୍ଧବଙ୍କ ଶାସନର ଅବସାନ ଘଟିଥିଳା। ପରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିଛନ୍ତି। ଏବେ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟ ନିଜକୁ ପ୍ରକୃତ ଶିବସେନା ଦାବି କରୁ ଦଶହରା ରାଲି ପାଇଁ ଆବେଦନ କରିଥିଲେ। ଉଭୟ ଗୋଷ୍ଠୀଙ୍କ ଆବେଦନ ପରେ ବିବାଦ ଉପୁଜିଥିଲା। ଏବେ ଉଭୟଙ୍କ ଆବେଦନକୁ ବିଏମସି ଖାରଜ କରିଦେଇଛି।

Related Posts