(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଆଖିକୁ ଖାଇଦେଲା ମୂଷା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ଏକ ସରକାରୀ ହସ୍ପିଟାଲରେ। ମଙ୍ଗଳବାର ସକାଳେ ମୁମ୍ବାଇ ସ୍ଥିତ ରାଜ୍ୱାଡି ହସ୍ପିଟାଲ୍ରେ ICU ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଆଖିକୁ ମୂଷା ଖାଇ ଦେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ରୋଗୀଙ୍କ ଭଉଣୀ ଏନେଇ ଅଭିଯୋଗ କରିଛନ୍ତି। ରବିବାର ଶ୍ରୀନିବାସ ନାଗେଶ ୟାଲାପା ନାମକ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ତାଙ୍କ ଆଖିରେ ପ୍ରକୃତରେ ଆଘାତ ଲାଗିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଡାକ୍ତରଖାନାର ଅଧୀକ୍ଷକ ବିଦ୍ୟା ଠାକୁର କହିଛନ୍ତି ଯେ, ଉକ୍ତ ରୋଗୀଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହୋଇ ନାହିଁ। ତାଙ୍କ ଭଉଣୀ ଏହି ଘଟଣାର ଫଟୋ ଦେଖାଇବା ସହ କହିଛନ୍ତି ଯେ, ‘ମଙ୍ଗଳବାର ଭାଇଙ୍କ ଆଖିରେ ବ୍ୟାଣ୍ଡେଜ୍ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରୁ ରକ୍ତ ମଧ୍ୟ ବାହାରୁ ଥିଲା। ଏହି ହସ୍ପିଟାଲ ବିଏମସି ଅଧୀନରେ ଆସୁଛି। ତେଣୁ ଆମ ଭଳି ସାଧାରଣ ଲୋକମାନେ ଆଉ କେଉଁଠାକୁ ଯାଇପାରିବେ ? ନର୍ସମାନେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେବଳ ଦୁଇଜଣ ଡ୍ୟୁଟିରେ ଅଛନ୍ତି ଯହାକି ଆଇସିୟୁ ଡ୍ୟୁଟିରେ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏହି ଘଟଣା ଘଟିବା ପରେ ସୁରକ୍ଷାକର୍ମୀମାନେ ମୋତେ ସେଠାରୁ ଘଉଡାଇବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି । ’’ ରାଜୱାଡି ଡାକ୍ତରଖାନାର ଜଣେ କର୍ମଚାରୀ କହିଛନ୍ତି, “ଏହି ଡାକ୍ତରଖାନା ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ଗତ ପାଞ୍ଚ ବର୍ଷ ଧରି ଏହାର ମରାମତି ପାଇଁ ଅର୍ଥ ମାଗୁଛନ୍ତି। ଏଠାରେ ଥିବା ଜରୁରୀକାଳୀନ ଚିକିତ୍ସା ସେବା ୱିଙ୍ଗ ୨୦୦୬ ମସିହାରେ ସ୍ୱର୍ଗତ ସାଂସଦ ଗୁରୁଦାସ କାମାଟଙ୍କ ଦ୍ୱାରା ବ୍ଯବସ୍ଥା କରାଯାଇଥିଲା । ରାଜୱାଡି ପୂର୍ବ ଉପାନ୍ତ ଅଞ୍ଚଳର ସବୁଠାରୁ ବଡ ଡାକ୍ତରଖାନା ହୋଇଥଲେ ମଧ୍ୟ ବିଏମସି ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରି ନାହିଁ ବୋଲି ଉକ୍ତ କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି । ’’ ତେବେ ଏହା ପ୍ରଥମ ଘଟଣା ନୁହେଁ, ୨୦୧୭ରେ ମଧ୍ୟ ଏଭଳି କିଛି ଘଟଣା ଘଟିଥିଲା। କାନ୍ଦିଭାଲି ସ୍ଥିତ ଶତାବ୍ଦୀ ହସ୍ପିଟାଲ୍ରେ ୨ ଜଣ ରୋଗୀଙ୍କ ସହ ଏଭଳି କିଛି ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି। ଏହି ଘଟଣା ପ୍ରକାଶ ପାଇବା ପରେ ସନ୍ଧ୍ୟାରେ ମେୟର କିଶୋରୀ ପେଡନେକର ଆଇସିୟୁରେ ରୋଗୀଙ୍କୁ ଦେଖା କରିଥିଲେ । ସେହିପରି ରୋଗୀ ରହୁଥିବା ସାକିନାକା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ଶିବସେନା ବିଧାୟକ ଦିଲୀପ ଲାଣ୍ଡେ ମଧ୍ୟ ତାଙ୍କ ଡାକ୍ତରଖାନାକୁ ଆସି ଉକ୍ତ ରୋଗୀଙ୍କୁ ଭେଟି ଥିଲେ। ଏବଂ ଏକ ବୈଠକ କରି ଘଟଣାର ସମାଧାନ କରାଯିବ ବୋଲି ଆଶ୍ବସନା ଦେଇଛନ୍ତି।
Related Posts
-
Copyright © SatyaPatha2021