ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରାଙ୍କ ଅଭିଯୋଗ ଆଧାରରେ ଏକ ରିଏଲ ଇଷ୍ଟେଟ୍ କମ୍ପାନୀ ଶିପ୍ରା ଇଷ୍ଟେଟ୍ ଲିମିଟେଡଙ୍କୁ ସମନ ଜାରି । ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଏହି ସମନ ଜାରି କରିଛନ୍ତି । ଅଞ୍ଜୁମ ମହିଳା ଆୟୋଗରେ ଏକ ଅଭିଯୋଗ କରିଥିଲେ। ଯେଉଁଥିରେ ସେ ୨୦୦୬ ମସିହାରେ ଇନ୍ଦିରାପୁରମ ଗାଜିଆବାଦରେ ମେସର୍ସ ଶିପ୍ରା ଇଷ୍ଚେଟ୍ ଲିମିଟେଡର ଏକ ପ୍ରକଳ୍ପରେ ଫ୍ଲାଟ୍ ବୁକ୍ କରିଥିଲେ। ସେ ଫ୍ଲାଟ ଲାଗି ମୋଟ ମୂଲ୍ୟର ୬୦ ପ୍ରତିଶତ ଦେଇଥିଲେ ହେଁ କମ୍ପାନୀ ତାଙ୍କୁ ସମୟରେ ଘର ଦେଇ ପାରିନଥିଲା।
ପ୍ରକଳ୍ପ ନିର୍ମାଣ କାମରେ କମ୍ପାନୀର ବିଳମ୍ବତା ଯୋଗୁ ଅଞ୍ଜୁମ ୨୦୨୦ରେ କମ୍ପାନୀରୁ ତାଙ୍କର ଜମା ଟଙ୍କା ଫେରାଇ ନେବା ଲାଗି ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ। ଯେଉଁଥିରେ କମ୍ପାନୀ ତାଙ୍କ ପଇସା ଫେରସ୍ତ କରିଦେବ ବୋଲି ନିଷ୍ପତ୍ତି ହୋଇଥିଲା। ରାଜିନାମା ଅନୁସାରେ କମ୍ପାନୀ ତାଙ୍କୁ ଏଗ୍ରିମେଣ୍ଟର ଅଢେଇ ମାସ ମଧ୍ୟରେ ଅର୍ଥ ଫେରସ୍ତ କରିଦେବା କଥା। ତେବେ ୨ ବର୍ଷ ପରେ ମଧ୍ୟ ଟଙ୍କା ଫେରସ୍ତ ନ କରିବାରୁ ଅଞ୍ଜୁମ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମାମଲାରେ ମହିଳା କମିଶନ ଶିପ୍ରା ଇଷ୍ଟେଟ ଲିମିଟେଡଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ। ଏଥିରେ କମ୍ପାନୀ ପକ୍ଷରୁ ଆୟୋଗଙ୍କୁ ଚୂଡ଼ାନ୍ତ ପୈଠ ୬ ମାସ ମଧ୍ୟରେ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ଆୟୋଗ କମ୍ପାନୀକୁ ୬ ମାସ ସମୟ ଦେଇଥିଲେ। ତେବେ ତା ପରେ ବି କମ୍ପାନୀ ମହିଳା କ୍ରିକେଟରଙ୍କୁ ତାଙ୍କ ପଇସା ଫେରାଇନଥିବା ବେଳେ ତାଙ୍କ ଫ୍ଲାଟକୁ କମ୍ପାନୀ ଆଉ କାହାକୁ ବିକି ଦେଇଥିବା ଅଞ୍ଜୁମ ଦୋହରା ଅଭିଯୋଗ କରିଛନ୍ତି।
ଏଥିରେ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲ ରିଏଲ ଇଷ୍ଟେଟ୍ କମ୍ପାନୀକୁ ସମନ ଜାରି କରି ଆୟୋଗଙ୍କ ଆଗରେ ଅଞ୍ଜୁମ ଚୋପ୍ରାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଜବାବ ତଲବ କରିଛନ୍ତି। ଏଥିରେ ଅଞ୍ଜୁମ ଚୋପ୍ରାଙ୍କୁ ତାଙ୍କ ବକେୟା ଅର୍ଥ ଫେରସ୍ତ କରିବା ପାଇଁ ଦେଇଥିବା ଚେକ୍ର ଏକ କପି ପ୍ରଦାନ କରିବାକୁ ତଥା କମ୍ପାନୀ ପ୍ରତିଶ୍ରୁତି ପାଳନ କରିନଥିବାରୁ କର୍ମଚାରୀଙ୍କ ବିରୋଧରେ କମ୍ପାନୀ କରିଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ମାଗିଛନ୍ତି। ଆୟୋଗ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ଡିସେମ୍ବର ୯ ତାରିଖରେ ହାଜର ହୋଇ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କହିଛନ୍ତି। ଏଥିରେ ଯଦି କମ୍ପାନୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରନ୍ତି ତେବେ ଆୟୋଗ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଚେତାବନୀ ଦେଇଛନ୍ତି





