‘ରାଜ୍ୟରେ ରକ୍ଷକ ସାଜିଛି ଭକ୍ଷକ’; ବିଜେଡି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ଦିନ ପଖାଉଥିବା ବେଳେ ରାଜନୈତିକ ଉସ୍ମତା ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଆଜି ଏହି କ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଫେରାଦ ହୋଇଛି ବିଜେପି। ବିଜୁ ଜନତା ଦଳର ନେତା ମାନେ ପଦ୍ମପୁରରେ ଗୁଣ୍ଡାରାଜ ଚଳାଇଥିବା ନେଇ ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ।

ଉପନିର୍ବାଚନ ହାରିବା ଭୟରେ ରକ୍ତମୁଖା ହୋଇ ଉଠିଛି ବିଜେଡି,ଏପରି ସାଙ୍ଘାତିକ ଅଭିଯୋଗ ଆଣିଛି ରାଜ୍ୟ ବିଜେପି। ପଦ୍ମପୁରରେ ବିଜେଡି ଗୁଣ୍ଡା ଗର୍ଦ୍ଧି ଆରମ୍ଭ କରିଦେଇଛି। ବିଜେଡି ପଦ୍ମପୁର ଉପନିର୍ବାଚନକୁ ଗୋଳିଆ ଘାଣ୍ଟିଆ କରିବାକୁ ବାରମ୍ବାର ଚେଷ୍ଟା କରୁଛି । ଗତକାଲି ବିଜେପିର ଜଣେ ମହିଳା କର୍ମୀ ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ସହିତ ଆକ୍ରମଣ ହୋଇଛି। ଏହି ଆକ୍ରମଣ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ତାଙ୍କର ସମର୍ଥକ ଇଙ୍ଗିତରେ ହୋଇଥିବା ବିଜେପି ଅଭିଯୋଗ କରିଛି । ପଦ୍ମପୁରରେ ଶାସକ ଦଳର ମାଳମାଳ ମନ୍ତ୍ରୀ ଓ ନେତା ନିଜ ସମର୍ଥକ ମାନଙ୍କ ସହିତ ସେଠାରେ ଏକଜୁଟ ହୋଇ ନିଜର ଶକ୍ତି ଦେଖାଉଛନ୍ତି। ଶାନ୍ତ ସରଳ ପଦ୍ମପୁର ବାସୀଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି। ପଦ୍ମପୁର ଉପନିର୍ବାଚନରେ ବିଜେଡି ହିଁ ହିଂସାକାଣ୍ଡ ଘଟାଉଛି । ଯାହାର ପ୍ରତିବାଦରେ ସିଇଓଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ଘଟଣାରେ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରି ଦଳ କହିଛି ତୁରନ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦଳ ଦାବି କରିଥିବା ସୂଚନା ମିଳିଛି ।

Related Posts