କାହିଁକି ରାଜନୀତିକୁ ବିଳମ୍ବରେ ଆସିଲେ ପ୍ରିୟଙ୍କା, ରାହୁଲ ଗାନ୍ଧି କହିଲେ କାରଣ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ରାଜନୀତି ପ୍ରବେଶକୁ ନେଇ ଗତ 3 ଦିନ ହେଲା ଲାଗି ରହିଛି ଚର୍ଚ୍ଚା । ପୂର୍ବରୁ ମଧ୍ୟ ପ୍ରିୟଙ୍କା ଉତ୍ତରପ୍ରଦେଶରେ ଗାନ୍ଧି ପରିବାରର ଆସନ କୁହାଯାଉଥିବା ରାୟବରେଲୀ ଓ ଆମେଥିରେ ପ୍ରଚାର କାର୍ଯ୍ୟ କରୁଥିଲେ । କିନ୍ତୁ ସେ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ ନ କରିବାର କାରଣ ସମ୍ପର୍କରେ ପ୍ରଥମ ଥର ପାଇଁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା ରାହୁଲ ଭୁବନେଶ୍ବରରେ ଏ ସମ୍ପର୍କରେ କହିଛନ୍ତି, ‘ଏହି ନିଷ୍ପତ୍ତି ଦୀର୍ଘ ଦିନରୁ ହୋଇଥିଲା । ପ୍ରିୟଙ୍କାଙ୍କ ସହିତ ଆଲୋଚନା କରିଥିଲି । ମାତ୍ର ପିଲାମାନଙ୍କ ଭବିଷ୍ୟତ ଯୋଗୁଁ ସେ ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ । ଏବେ ପିଲାମାନେ ବଡ଼ ହୋଇଗଲେଣି । ଜଣେ ବିଶ୍ବବିଦ୍ୟାଳୟ‌‌ରେ ପଢ଼ୁଥିବା ବେଳେ ଆଉ ଜଣେ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ଯାଉଛି ।

ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ନେଇ ରାହୁଲ କହିଲେ, କୌଣସି ଗୋଟିଏ ପ୍ରସଙ୍ଗରେ ଦୁହିଁଙ୍କର ମତ ୮୦ ପ୍ରତିଶତ ପର୍ଯ୍ୟନ୍ତ ସମାନ ହୋଇଥାଏ । ସମସ୍ତେ ଭାବୁଛନ୍ତି ଯେ ଏକ ଖାନଦାନୀ ପରିବାରରୁ ଆସିଥିବାରୁ ଆମ ପାଇଁ ସବୁ କିଛି ସହଜ ହୋଇଥିବ । କିନ୍ତୁ ପ୍ରକୃତରେ ସେକଥା ଠିକ୍‌ ନୁହେଁ । ଜେଜେମା’ଙ୍କଠାରୁ ଆରମ୍ଭ କରି ବାପାଙ୍କୁ ହତ୍ୟା କରାଯିବା ସମୟରେ ଆମେ ଖୁବ୍‌ ଜଟିଳ ସମୟ ଦେଇ ଗତି କରିଛୁ, ଯାହା ଆମକୁ ପରସ୍ପରର ନିକଟତର କରିପାରିଛି । ଆମେ ଦୁହେଁ ପରସ୍ପରକୁ ଚିନ୍ତା କରିବାକୁ ସମୟ ଦେଉ ।’

ପ୍ରିୟଙ୍କା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ସଂପର୍କରେ ରାହୁଲ କହିଲେ,‘ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଉତ୍ତର ପ୍ରଦେଶରେ କଂଗ୍ରେସକୁ ପୁନର୍ଜୀବିତ କରିବା ତାଙ୍କର ମୁଖ୍ୟ କାମ ।’’

Related Posts