ନିଜ ସରକାରୀ ବାସଭବନକୁ କୋଭିଡ କେୟାର ସେଣ୍ଟର କଲେ ରାଜେଡି ନେତା ତେଜସ୍ବୀ ଯାଦବ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ବିହାରରେ କରୋନା ସ୍ଥିତି ସଙ୍ଗୀନ। କେଉଁଠି ହସ୍ପିଟାଲରେ ବେଡ୍ ନାହିଁ ତ ପୁଣି କେଉଁଠି ଅକ୍ସିଜେନ ଅଭାବ। ଆଉ ଏହି ସଙ୍କଟ ସମୟରେ କରୋନା ରୋଗୀଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ସେ ନିଜ ସରକାରୀ ବାସଭବନ କୁ କୋଭିଡ କେୟାର ସେଣ୍ଟରରେ ପରିଣତ କରିଛନ୍ତି। ଏଠାରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିଛନ୍ତି। ମେଡିକାଲ ଉପକରଣ ସାଙ୍ଗକୁ ମାଗଣା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଥିବା ନେଇ ତେଜସ୍ବୀ ଯାଦବ ସୂଚନା ଦେଇଛନ୍ତି। ଆରଜେଡି ପକ୍ଷରୁ କୁହାଯାଇଛି ଯେ ଏହି କୋଭିଡ କେୟାର ସେଣ୍ଟରରେ ଅମ୍ଳଜାନ ସମେତ ମେଡ଼ିସିନ୍ ର ବ୍ୟବସ୍ଥା କରାଯାଇଛି। ଏଠାରେ କରୋନା ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ତେଜସ୍ବୀ ଯାଦବ କହିଛନ୍ତି। ତେଜସ୍ୱୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ ବିହାର ଲୋକଙ୍କୁ ମାଗଣାରେ କୋଭିଡ୍ ଚିକିତ୍ସା ଯୋଗାଇଦେବା ପାଇଁ ଆରଜେଡି କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି। ତେବେ ଏହି କୋଭିଡ୍ କେୟାର ସେଣ୍ଟରକକୁ ଚାଲୁ କରିବା ପାଇଁ ସେ ନିତୀଶ ସରକାରଙ୍କୁ ଅନୁରୋଧ କରିଛନ୍ତି।

ତେଜସ୍ୱୀ କହିଛନ୍ତି ଯେ ତାଙ୍କ ସରକାରୀ ବାସଭବନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ତେଣୁ ସରକାର ଏହାର ପରିଚାଳନା କରିବା ଉଚିତ୍। ଏହାପୂର୍ବରୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ ଯେ ରାଜ୍ୟ ସରକାର ସବୁ ବିଧାୟକମାନଙ୍କୁ କୋଭିଡ ସେଣ୍ଟରର ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ଦିଆଯାଉ। ବିହାରରେ ସ୍ୱାସ୍ଥ୍ୟସେବା , କରୋନା ପରିଚାଳନା ଏବଂ ରିଲିଫ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଅନୁରୋଧ କରିଥିଲେ। ଏହା ପୂର୍ବରୁ କରୋନା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଭେଣ୍ଟିଲେଟର ଠାରୁ ଆରମ୍ଭ କରି ଟିକା ପର୍ଯ୍ୟନ୍ତ ସଵୁ କ୍ଷେତ୍ରରେ ଅବ୍ଯବସ୍ଥା ଥିବା ନେଇ ସେ ଅଭିଯୋଗ କରିଥିଲେ।

Related Posts