ରାଜ୍ୟରେ ସଡ଼କ ଦୁର୍ଘଟଣା ଜାତୀୟ ହାର ଠାରୁ ବହୁ ଅଧିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା (୨୦୧୯ ସୁଦ୍ଧା ବିଗତ ୫ ବର୍ଷରେ) ୩୬ % ବୃଦ୍ଧି ପାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଗଠିତ କମିଟି ରାଜ୍ୟ ସରକାରଙ୍କ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଯେ, ୨୦୨୦ ମସିହା ସୁଦ୍ଧା ସଡ଼କ ଦୁର୍ଘଟଣା ଏବଂ ଏଥିପାଇଁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ୫୦ % ପର୍ଯ୍ୟନ୍ତ ହ୍ରାସ କରାଯିବ। କିନ୍ତୁ ୨୦୨୧ ମସିହା ଜାନୁଆରୀ ମାସରୁ ଏପ୍ରିଲ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୨୭ % ବୃଦ୍ଧି ପାଇଛି। ତେବେ ଉଲ୍ଲେଖନୀୟ କଥା ହେଉଛି ଏହି ସଂଖ୍ୟା ଜାତୀୟ ହାର ଠାରୁ ମଧ୍ୟ ଅଧିକ। 

 ସର୍ବ ଭାରତୀୟ ସ୍ତରରେ ପ୍ରତି ୧୦୦ଟି ସଡ଼କ ଦୁର୍ଘଟଣାରେ ୩୬.୬ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ ୪୮ ଜଣରୁ ଅଧିକ (୪୮.୨) ମୃତ୍ୟୁ ଘଟୁଛି। ସଡକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୃତକଙ୍କ ମଧ୍ୟରେ ୧୮ରୁ ୪୫ ବର୍ଷ ବୟସ୍କଙ୍କ ହାର ହେଉଛି ୭୬ ପ୍ରତିଶତ । ତେବେ ସଡ଼କ ଦୁର୍ଘଟଣା ଯୋଗୁ ବର୍ଷକୁ ଜିଡ଼ିପିର ୩.୧୬ % କ୍ଷତି ହେଉଛି। ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ଗଠିତ କମିଟି କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସଙ୍ଗେ ସଙ୍ଗେ ସଡ଼କ ନିରାପତ୍ତା ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଏବଂ ତତ୍‌ଜନିତ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଉନ୍ନୟନ କମିସନର ପିକେ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଦୁଇଟି ପ୍ରସ୍ତାବକୁ ତୁରନ୍ତ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେରଳ, ତାମିଲନାଡ଼ୁ, ଗୁଜରାଟ ଓ କର୍ଣ୍ଣାଟକ ଭଳି ଓଡ଼ିଶାରେ ମଧ୍ୟ ସଡ଼କ ନିରାପତ୍ତା କମିସନରେଟ୍‌ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅତି କମରେ ୧୬ ବର୍ଷ ଅଭିଜ୍ଞତା ଥିବା ଆଇଏଏସ୍‌ କିମ୍ବା ଆଇପିଏସ୍‌ର ବରିଷ୍ଠ ଅଧିକାରୀଙ୍କୁ ସଡ଼କ ନିରାପତ୍ତା କମିସନର୍‌ ଭାବେ ନିଯୁକ୍ତ କରାଯିବ। ଏବଂ ରାଜ୍ୟ ସଡ଼କ ନିରାପତ୍ତା ପ୍ରାଧିକରଣ ଗଠନ ହେବ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଆଇନଗତ ପଦକ୍ଷେପ ନେବ ବୋଲି ନିଷ୍ପତ୍ତି ନିଆଯାଇଛି । 

ଏହି ଉଚ୍ଚ ସ୍ତରୀୟ ବୈଠକରେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ରାଜ୍ୟର ପାଖାପାଖି ଅଢ଼େଇ ଲକ୍ଷ କିଲୋମିଟର ରାସ୍ତାରେ ୮୧ ଲକ୍ଷ ଗଡୁଛି। ଏହି ରାସ୍ତାରେ ପ୍ରାୟ ୧୫୦୦ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ହୋଇଛି। କିନ୍ତୁ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କ ତୁରନ୍ତ ଚିକିତ୍ସା ଲାଗି ଆବଶ୍ୟକ ଟ୍ରମା କେୟାର୍‌ ସେଣ୍ଟର ନାହିଁ।ଏଥିପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଦୁର୍ଘଟଣା ନିୟନ୍ତ୍ରଣ ଲାଗି ଏବେ ପରିବହନ ବିଭାଗ ରାସ୍ତା ନିରାପତ୍ତା ସହ ଜଡ଼ିତ ପୂର୍ତ୍ତ, ସ୍ୱାସ୍ଥ୍ୟ, ସ୍ୱରାଷ୍ଟ୍ର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ କାର୍ଯ୍ୟ କରୁଛି।

ଯାନବାହନ ଟିକସ ଆଦାୟ, ଲାଇସେନ୍ସ, ପରମିଟ୍‌ ସମେତ ବିଭିନ୍ନ ସେବା ନିର୍ବାହ କରିବାରେ ପରିବହନ ବିଭାଗ ବ୍ୟସ୍ତ। ତେଣୁ ଦୁର୍ଘଟଣା ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ରହିଛି। ଶ୍ରୀ ପାଢୀଙ୍କ ପ୍ରସ୍ତାବ ଅନୁଯାୟୀ, ଦୁର୍ଘଟଣା ଓ ତତ୍‌ଜନିତ ମୃତାହତ ସଂଖ୍ୟାକୁ ହ୍ରାସ କରିବା ପାଇଁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ପ୍ରତ୍ୟକ୍ଷ ସହଯୋଗ ଆବଶ୍ୟକତା ରହିଛି । 

Related Posts