
ଆର୍ଏସ୍ଏସ୍ ନେତା ଇନ୍ଦ୍ରେଶ କୁମାର ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ, ବଲିଉଡ୍ ଅଭିନେତା ଅମୀର ଖାନ୍ ଓ ନାସିରୁଦ୍ଦିନ୍ ଶାହଙ୍କୁ ଜୟଚନ୍ଦ୍ର ଓ ମୀର ଜାଫରଙ୍କ ସହ ତୁଳନା କରି ତିନି ଜଣଙ୍କୁ ବିଶ୍ବାସ ଘାତକ ବୋଲି କହିଲେ ।
ଅଲୀଗଡ଼ରେ ଏକ କାର୍ଯ୍ୟକ୍ରମରେ ଇନ୍ଦ୍ରେଶ କୁମାର କହିଲେ, ‘ତିନି ଜଣ(ସିଦ୍ଧୁ, ଅମୀର, ନାସିରୁଦ୍ଦିନ୍) ଭଲ ଅଭିନେତା ହୋଇପାରନ୍ତି, କିନ୍ତୁ ଏମାନେ ଦେଶଦ୍ରୋହୀ, ଏଥିପାଇଁ ଏମାନେ ସମ୍ମାନଯୋଗ୍ୟ ନୁହନ୍ତି । ଏମାନେ ମୀର ଜାଫର ଓ ଜୟଚନ୍ଦ୍ରଙ୍କ ଭଳି ।’
ଇନ୍ଦ୍ରେଶ କୁମାର କହିଲେ,‘ଭାରତକୁ ଆଜମଲ କସାବ ଭଳି ମୁସଲମାନ ଯୁବକଙ୍କର ଆବଶ୍ୟକତା ନାହିଁ, ଆମକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ଭଳି ଲୋକଙ୍କର ଆବଶ୍ୟକତା ରହିଛି । ’
ଆର୍ଏସ୍ଏସ୍ ନେତା ଅଯୋଧ୍ୟ ମାମଲାରେ ଶୁଣାଣିରେ ବିଳମ୍ବ ହେବାକୁ ନେଇ କଂଗ୍ରେସ, ବାମପନ୍ଥୀ ଆଞ୍ଚଳିକ ସାଂପ୍ରଦାୟିକ ଶକ୍ତି ଓ କେତେକ ଜଜ୍ଙ୍କୁ ଦାୟୀ ବୋଲି କହିଲେ । ଇନ୍ଦ୍ରେଶ କହିଲେ, ସବୁ ସନ୍ଥ ଓ ସାଧୁଙ୍କୁ କଂଗ୍ରେସ, ବାମପନ୍ଥୀ ଦଳଙ୍କ ଅଫିସ ଓ ସେହି ଜଜ୍ ମାନଙ୍କ ଘର ବାହାରେ ଧାରଣାରେ ବସିବା ଉଚିତ, ଯେଉଁମାନେ ଏହି ମାମଲାରେ ବିଳମ୍ବ କରୁଛନ୍ତି ।