ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ୧୯ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ,ଛାତ୍ର ସଂଗଠନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୧୯ ତାରିଖ ଦିନ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନବ ନିର୍ମାଣ କୃଷକ,ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି।ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି। ପ୍ରଥମେ ୧୭ ତାରିଖରେ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବ ଓ ପରେ ୧୯ରେ ଓଡ଼ିଶା ବନ୍ଦ୍ କରାଯିବା ନେଇ ଅକ୍ଷୟ ସୂଚନା ଦେଇଛନ୍ତି। ଦୀର୍ଘ ୧୧ ଦିନ ଧାରଣା ଦେବାପରେ ସଂଗଠନ ପକ୍ଷରୁ ଏହି ଘୋଷଣା କରାଯାଇଛି। ସେପଟେ ରୁଚିକାଙ୍କ ମା’ ବିଦୁପ୍ରଭା ମହାନ୍ତି ଓଡ଼ିଶା ବନ୍ଦ ରେ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଂଗରେ ସାମ୍ବାଦିକ ସମ୍ମିଳନୀରେ ଆଜି ନବନିର୍ମାଣ କୃଷକ ସଂଗଠନ, ନବନିର୍ମାଣ ଛାତ୍ର ସଂଗଠନ ଓ ରୁଚିକାଙ୍କ ମା’ ଉପସ୍ଥିତିରେ ଏହି ଆନ୍ଦୋଳନ ନେଇ ଘୋଷଣା ହୋଇଛି। ଆତ୍ମହତ୍ୟାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚିପାରିନି ପୁଲିସ। ରାଗିଙ୍ଗ ହୋଇ ନ ଥିବା ପୁଲିସ କହୁଛି। ମା’ ଧାରଣାରେ ବସିଥିବାବେଳେ ପୁଲିସ ଜୋରଜବରଦସ୍ତ ଉଠାଇଅଛି। ନୈତିକତା ଦୃଷ୍ଟି କୋଣରୁ ହଷ୍ଟେଲ ୱାର୍ଡନ, ସୁପରିଟେଣ୍ଡେଣ୍ଟ ଇସ୍ତଫା ଦେବା କଥା ବୋଲି ଅକ୍ଷୟ ଦାବି କରିଛନ୍ତି।

ତେବେ୧୪ ଓ ୧୫ତାରିଖରେ କଲେଜ କଲେଜ ବୁଲି ରୁଚିକାଙ୍କ ମା ଓ ନବନିର୍ମାଣ ଛାତ୍ର ସଂଗଠନ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଅନୁରୋଧ କରିବେ। ଏହି ଧାରଣ ଓ ବନ୍ଦ୍ ପାଳନରେ ସମସ୍ତ ରାଜନୈତିକ ଦଳ ସାମିଲ ହେବାକୁ ଅକ୍ଷୟ କୁମାର ଆହ୍ବାନ ଦେଇଛନ୍ତି।

Related Posts