ପାକିସ୍ତାନକୁ ଆଫ୍ରିଦିଙ୍କ ପରାମର୍ଶ-ପ୍ରଥମେ ନିଜ ଘର ସମ୍ଭାଳ, ତା ପରେ କରିବ କାଶ୍ମୀର ଚିନ୍ତା

ସାହିଦ ଆଫ୍ରିଦି ଏହା ପୂର୍ବରୁ ବି ଅନେକ ଥର କାଶ୍ମୀରର ସ୍ବାଧୀନତା ଓ ସେ ସମ୍ପର୍କିତ ପ୍ରସଙ୍ଗ ନେଇ ବୟାନ ଦେଇସାରିଛନ୍ତି, ଯାହା ଫଳରେ ସେ ଖବର ଶୀର୍ଷକକୁ ଆସିଛନ୍ତି ।

ପୂର୍ବତନ ପାକିସ୍ତାନୀ ଅଲ୍‌ରାଉଣ୍ଡର ସାହିଦ୍‌ ଆପ୍ରିଦି ପୁଣି ଥରେ ଜମ୍ମୁ କାଶ୍ମୀରକୁ ନେଇ ବୟାନ ଦେଇଛନ୍ତି । ଏଥର ଆଫ୍ରିଦିଙ୍କ ବୟାନରୁ ନେଇ ସୃଷ୍ଟି ହୋଇଛି ବିବାଦ । ଇଂଲଣ୍ଡର ସଂସଦ କୁହାଯାଉଥିବା ହାଉସ୍‌ ଅଫ୍‌ କମନ୍‌ରେ ଆଫ୍ରିଦି କହିଲେ, ଯେ ପାକିସ୍ତାନକୁ କାଶ୍ମୀରର ଚିନ୍ତା କରିବା କଥା ନୁହେଁ ।

ଆଫ୍ରିଦି କହିଲେ ଯେ ପାକିସ୍ତାନ ନିଜର ଚାରି ଦିଗ ସମ୍ଭାଳି ପାରୁନାହିଁ, ଏଥିପାଇଁ ପାକିସ୍ତାନକୁ କାଶ୍ମୀର ବାବଦରେ ଚିନ୍ତା କରିବା ଉଚିତ ନୁହେଁ ।

ସୂଚନାଯୋଗ୍ୟ ପୂର୍ବତନ କ୍ରିକେଟର ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାଠାରୁ, କାଶ୍ମୀରକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଇମ୍ରାନ୍‌ ନିଜେ ବି ଜମ୍ମୁ-କାଶ୍ମୀରର ସମସ୍ୟାକୁ ତୁରନ୍ତ ସମାଧାନ କରିବାର କଥା କହିଥିଲେ ।

ପୂର୍ବରୁ ଅନେକ ଥର ଦେଇଛନ୍ତି କାଶ୍ମୀର ଉପରେ ବୟାନ

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବି ସାହିଦ ଆଫ୍ରିଦି କାଶ୍ମୀର ସମ୍ପର୍କିତ ପ୍ରସଙ୍ଗ ଉପରେ ଅନେକ ଥର କହିସାରିଛନ୍ତି । ଗତ ବର୍ଷ ଭାରତରେ ହୋଇଥିବା ଟି-ଟ୍ବେଣ୍ଟି ବିଶ୍ବକପ୍‌ ସମୟରେ ଏକ ମ୍ୟାଚ୍‌ରେ ସାହିଦ୍‌ କହିଥିଲେ ଯେ ଆମକୁ ସମର୍ଥନ କରିବାକୁ ବହୁ ଲୋକ କାଶ୍ମୀରରୁ ବି ଆସିଥିଲେ, ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ସାହିଦ୍‌ଙ୍କ ଏହି ବୟାନକୁ ନେଇ ସେତେବେଳେ ହଙ୍ଗାମା ହୋଇଥିଲା ।
ବୟାନ ଛଡ଼ା ସାହିଦ କାଶ୍ମୀରର ସ୍ବାଧୀନତାର ସମର୍ଥନରେ ବହୁ ଥର ଟ୍ବିଟ୍‌ ବି କରିଛନ୍ତି । ସେ 2017ରେ ଟ୍ବିଟ୍‌ କରିଥିଲେ ଯେ କାଶ୍ମୀର ଏକ ଭୂସ୍ବର୍ଗ ଯାହା ଦୀର୍ଘ ସମୟ ଧରି ହିଂସାର ଶିକାର ହୋଇଆସୁଛ, ଏବେ ସମୟ ଆସିଛି ଏହି ପ୍ରସଙ୍ଗର ସମାଧାନ କରାଯାଉ । ଏହି ଟ୍ବିଟ୍‌ରେ ସେ ଲେଖିଥିଲେ, ‘ଆଇ ଷ୍ଟାଣ୍ଡ ୱିଥ୍‌ କାଶ୍ମୀର, କାଶ୍ମୀର ସଲିଡାରିଟି ଡେ ।’’

Related Posts