ସରିଲା କାର୍ତ୍ତିକ ବ୍ରତ; ବୃନ୍ଦାବତୀ ନିବାସରେ ହବିଷ୍ୟାଳିମାନଙ୍କୁ ବିଦାୟ ଦେଲେ ପୁରୀ ଜିଲ୍ଲାପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଟିଏ ମାସ ପୁରୀରେ ରହି କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହବିଷ୍ୟାଳି ମାନେ ଆଜି ନିଜ ନିଜ ଘରକୁ ଫେରିଛନ୍ତି। ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡ଼ଃ. କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ମା’ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

ମାସ ସାରା ନିଜ ପରିବାର ଛାଡ଼ି ମା’ମାନେ ଏହି ନିବାସମାନଙ୍କରେ ରହିଥିଲେ। ସେମାନଙ୍କ ସେବା ଓ ସ୍ୱଛନ୍ଦ ପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ। ମା’ମାନେ ମଧ୍ୟ ନିଜ ମହାନ ଗୁଣରେ ଏହି ମାସ ସାରା ସହଯୋଗ କରିଛନ୍ତି। ଏହି ମାସର ଅଭିଜ୍ଞତା ଆଗାମୀ ଦିନରେ ପ୍ରଶାସନକୁ ଅଧିକ ଋଦ୍ଧିମନ୍ତ ଓ କ୍ରିୟାଶୀଳ କରିବ ବୋଲି କହିବା ସହ ପ୍ରତ୍ୟେକ ମା’ମାନଙ୍କୁ ଜିଲ୍ଲାପାଳ ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ଫଳ ପ୍ରଦାନ କରିଥିଲେ। ମା’ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷର ରାଇଦାମୋଦର ବା ହବିଷ ଅତ୍ୟନ୍ତ ସୁଖଦ ଓ ଶୃଙ୍ଖଳିତ ଥିଲା ବୋଲି କହିଥିଲେ।

ସରକାର ଓ ପ୍ରଶାସନ ଖୁବ୍ ଭଲ ଭାବରେ ଆମ ଦାୟିତ୍ୱ ନେବା ସହ ବୃନ୍ଦାବତୀ ପୂଜା, ସ୍ୱଛାସେବୀମାନଙ୍କ ସହଯୋଗ ଓ ସେବା, ମନ୍ଦିର ଓ ଠାକୁର ଦର୍ଶନ, ମହାପ୍ରସାଦ ସେବନ, ଭଜନ ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ୍ ଭଲ ଥିଲା। ମାସେ କେମିତି କଟିଗଲା ଜଣା ପଡ଼ିଲା ନାହିଁ। ଘରୁ ଆସିଥିଲା ବେଳେ କେମିତି କଣ ହେବ ବୋଲି ଆଶଙ୍କାରେ ଥିଲୁ। ଏବେ ଏଠା ଛାଡ଼ି ଗଲା ବେଳେ ମାସକର ସ୍ନେହ ମମତାକୁ ଭାବି ଦୁଃଖ ଲାଗୁଛି। ଇଶ୍ଵରଙ୍କ ଆଶୀର୍ବାଦ ଥିଲେ ପୁଣି ଆର ବର୍ଷକୁ ଆସିବୁ ବୋଲି କୋହ ଭରା କଣ୍ଠରେ କହୁଥିଲେ ମା’ମାନେ।

ଏପରିକି ମାସେ ରହଣି ଭିତରେ ପରସ୍ପର ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଦୃଷ୍ଟିରୁ ଆଜି ନିଜ ନିଜ ଘରକୁ ଫେରିବା ବେଳେ ମା’ମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉକି ସମସ୍ତ ହବିଷ୍ୟାଳି କେନ୍ଦ୍ରମାନଙ୍କରେ ମଧ୍ୟ ଅନୁରୂପ ଭାବେ ଭୋଗ ଓ ଫଳ ବଣ୍ଟନ କରାଯାଇଥିଲା।

Related Posts