ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କରିଥିବା ଜାମିନ ଉପରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଜାମିନ ଉପରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଅର୍ଚ୍ଚନାଙ୍କୁ ଜାମିନ ଦିଆଯାଉ ବୋଲି ଅର୍ଚ୍ଚନାଙ୍କ ଓକିଲିଙ୍କ ଯୁକ୍ତି ବାଢ଼ିଛନ୍ତି। ମାତ୍ର ଅର୍ଚ୍ଚନାଙ୍କୁ ଜାମିନ ନଦେବା ନେଇ ସରକାରୀ ଓକିଲ ଯୁକ୍ତି ରଖିଥିଲେ।
ସେପଟେ ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ଆବେଦନର ଶୁଣାଣି ବେଳେ ଅର୍ଚ୍ଚନାଙ୍କ ବିରୋଧରେ ଲାଗି ଥିବା ନିର୍ଦ୍ଦିଷ୍ଟ ଦଫା ପ୍ରଯୁଜ୍ୟ ନୁହେଁ ବୋଲି ତାଙ୍କ ଓକିଲଙ୍କ ଦେବାଶିଷ ମହାପାତ୍ର ଯୁକ୍ତି ବାଢ଼ିଛନ୍ତି। ଯେଉଁ ଦଫା ଗୁଡିକ ଲଗାଇବା କଥା ନୁହେଁ, ପୋଲିସ ସେହି ଦଫା ଲଗାଇଛି । ୩୫୪ (ସି)ଦଫା ଲଗାଇବା କଥା ନୁହେଁ ବୋଲି ଯୁକ୍ତି କରିଥିଲେ ଅର୍ଚ୍ଚନାଙ୍କ ଓକିଲ। କେବଳ ସେତିକି ନୁହେଁ ଅଭିଯୋଗକାରୀଣୀ ପୂର୍ବରୁ କାହିଁକି ଅଭିଯୋଗ ଆଣିନଥିଲେ, ଏବେ କାହିଁକି ଅଭିଯୋଗ ଆଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଅର୍ଚ୍ଚନାଙ୍କ ବିରୋଧରେ ୧୬ଟି ଦଫା ଲାଗି ଥିବା ବେଳେ ୩୭୦, ୩୨୮ ଓ ଆଇଟି ଆକ୍ଟ ୬୬ଇ ଓ ୬୭ ଲାଗିଛି। ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା। ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇ ନଥିଲା। ଅକ୍ଟୋବର ୧୧ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ମାମଲାର ଶୁଣାଣି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ମାମଲାର ଶୁଣାଣି ହୋଇଥିଲା ।
ଅନ୍ଯପକ୍ଷେରେ ହାଇକୋର୍ଟରେରେ ପହଞ୍ଚିଛି ଅର୍ଚ୍ଚନା ନାଗଙ୍କ ମାମଲା। ଅର୍ଚ୍ଚନାଙ୍କ ସମ୍ପତ୍ତିର ଇଡି ତଦନ୍ତ ଓ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି। ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ଥାନା ଅଧିକାରୀ ଓ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
