
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କୀ ନିହତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚଅପରେସନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଶୋପିଆନର ଜୈନପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ। ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀମାନେ ପ୍ରଥମେ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଆତଙ୍କବାଦୀମାନେ ଏହାର ଜବାବ ଗୁଳିରେ ଦେଇଥିଲେ। ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ସମୟରେ ୨ ଜଣ ଯବାନ ଆହତ ହୋଇଥିଲେ।
ସେମାନଙ୍କୁ ଏୟାରଲିଫ୍ଟ କରାଯାଇ ଶ୍ରୀନଗର ଅଣାଯାଇଥିଲା। ହେଲେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏହି ଏନକାଉଣ୍ଟର୍ରେ ଜଣେ ଆତଙ୍କୀ ମଧ୍ୟ ନିହତ ହୋଇଛି। ତା’ ନିକଟରୁ ଏକେ ସିରିଜ ରାଇଫଲ ମିଳିଛି। ତେବେ ତା’ର ପରିଚୟ ମିଳି ପାରି ନଥିବା ସେନା ପକ୍ଷରୁ କୁହାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ତେଣୁ ଯବାନଙ୍କ ପକ୍ଷରୁ ସର୍ଚ୍ଚଅପରେସନକୁ ଜୋରଦାର କରାଯାଇଛି। ହେଲେ ଏବେ ସୁଦ୍ଧା ଲୁଚି ରହିଥିବା ଆତଙ୍କବାଦୀଙ୍କ ପତ୍ତା ମିଳିନାହିଁ।