ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ଘରେ ରହି ପାଇପାରିବେ ଡ଼ାକ ଏବଂ ବ୍ୟାଙ୍କ ସେବା

କରୋନା କଟକଣା ସମୟରେ ବରିଷ୍ଠ ନାଗରିକ କିମ୍ବା ଭିନ୍ନକ୍ଷମ ବ୍ୟକ୍ତିମାନେ ଅର୍ଥ ଆବଶ୍ୟକ କଲେ ବ୍ୟାଙ୍କ୍‍ ଓ ଡାକ ବିଭାଗର କର୍ମଚାରୀମାନେ ସେମାନଙ୍କ ଘରକୁ ଯାଇ ଅର୍ଥ ପ୍ରଦାନ କରିବେ । ଏହି ଦୁଇ ବର୍ଗର ବ୍ୟକ୍ତି ଫୋନ୍‍ ଜରିଆରେ ଅର୍ଥ ଆବଶ୍ୟକ କଲେ ସେମାନଙ୍କ ଘରକୁ ଯାଇ ଅର୍ଥ ଦେବାକୁ ବ୍ୟାଙ୍କ୍‍ ଓ ଡାକ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ଅଗଷ୍ଟ ମାସ ପାଇଁ ରାଜ୍ୟରେ ବ୍ୟାଙ୍କ କାରବାର ନେଇ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା ଉଲ୍ଲେଖ କରାଯାଇଛି । ବ୍ୟାଙ୍କ୍‍ ଓ ଡାକ କର୍ମଚାରୀମାନେ ବରିଷ୍ଠ ନାଗରିକ କିମ୍ବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଘରେ ସେବା ଯୋଗାଣ ସମୟରେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହିତ ହାତ ବିଶୋଧନ କରିବା ଓ ଶାରୀରିକ ଦୂରତା ରକ୍ଷା ନିୟମ ପାଳନ ଲାଗି କୁହାଯାଇଛି । ସେହିଭଳି ବ୍ୟାଙ୍କ୍‍ ଓ ଅର୍ଥ କାରବାର କରୁଥିବା ଅନ୍ୟ ସଂସ୍ଥା ଗୁଡିକ ସେମାନଙ୍କ ଦପ୍ତରକୁ ନିୟମିତ ଭାବେ ବିଶୋଧନ କରିବା ସହିତ ପ୍ରବେଶପଥରେ ନିଶ୍ଚିତ ଭାବେ ଗ୍ରାହକମାନଙ୍କ ପାଇଁ ସାନିଟାଇଜର ରଖିବେ । ଦପ୍ତର ବିଶୋଧନ ସହିତ ଶାରିରୀକ ଦୂରତ୍ୱ ନିୟମକୁ ବ୍ୟାଙ୍କ୍‍ ଓ ଅନ୍ୟ ସଂସ୍ଥାମାନେ କିଭଳି ପାଳନ କରୁଛନ୍ତି ତାହାର ତଦାରଖ ଲାଗି ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ଅର୍ଥ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳ, ଏସ୍‍ପି ଓ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ନିମନ୍ତେ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ ସମସ୍ତ ରାଷ୍ଟ୍ରାୟତ, ଘରୋଇ, ଗ୍ରାମ୍ୟବ୍ୟାଙ୍କ, ସମବାୟ ବ୍ୟାଙ୍କ୍‍, ଛୋଟ ଅର୍ଥଲଗାଣକାରୀ ବ୍ୟାଙ୍କ୍‍ ଏବଂ ବୀମା କମ୍ପାନୀ ସେମାନଙ୍କ ବଡ ବଡ ଶାଖାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଲୋକଙ୍କୁ ସେବା ଯୋଗାଇଦେବେ । ତେବେ ଯେଉଁ ଶାଖାରେ ୫ଜଣରୁ କମ୍‍ କର୍ମଚାରୀ ଅଛନ୍ତି ସେଠାରେ ପୂରା କର୍ମଚାରୀଙ୍କୁ ନେଇ ବ୍ୟାଙ୍କ୍‍ କାର୍ଯ୍ୟ କରିବ ଓ ଶାରୀରିକ ଦୂରତା ସହିତ ମାସ୍କ ପିନ୍ଧିବା ଓ ହାତ ବିଶୋଧନ କରିବା ନିୟମ କଡାକଡି ଭାବେ ପାଳନ କରାଯିବ ।

କ୍ଲିୟରିଂ ହାଉସ୍‍, ବ୍ୟାଙ୍କ ଗୁଡିକର କଣ୍ଟ୍ରୋଲିଂ ଅଫିସ, ସେବି, ବୀମା ଦପ୍ତରକୁ ନିୟନ୍ତ୍ରଣ କରୁଥିବା କାର୍ଯ୍ୟାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍କୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି । ସେହିଭଳି ସେବି ଦ୍ୱାରା ଅନୁମତି ପାଇ ପୁଞ୍ଜି ଓ ଋଣ ସୁବିଧା ଯୋଗାଇ ଦେଉଥିବା ସଂସ୍ଥା ଗୁଡିକ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ ।

ଏଟିଏମ୍‍ ରକ୍ଷଣା ବେକ୍ଷଣ କରୁଥିବା କମ୍ପାନୀ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନଗଦ ଅର୍ଥ ପରିବହନ କରୁଥିବା କମ୍ପାନୀ ଓ ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ (ଏନ୍‍ପିସିଆଇ) ର କର୍ମଚାରୀଙ୍କୁ ଦପ୍ତର ସମୟରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ବ୍ୟାଙ୍କ୍‍ ଚିଠିପତ୍ର (ବିସି) ଏବଂ ସେବା ଯୋଗାଉଥିବା ସଂସ୍ଥା (ସିଏସ୍‍ପି) ଗୁଡିକ ମଧ୍ୟ କରୋନା ନିୟମ ମାନି କାର୍ଯ୍ୟ କରିବାଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ବୀମା କମ୍ପାନୀ ଶାଖା ଗୁଡିକ ଅଫିସ ସମୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅଣ ବ୍ୟାଙ୍କିଙ୍ଗ୍‍ ଅର୍ଥ କମ୍ପାନୀ କିମ୍ବା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ମନି ଫ୍ଲୋ ଇଣ୍ଡେକ୍ସ (ଏମ୍‍ଏଫ୍‍ଆଇ) ଚଳାଉଥିବା ସଂସ୍ଥା ଗୁଡିକ ଦପ୍ତର ସମୟରେ ୫୦ ପ୍ରତିଶତ କର୍ମଚାରୀ ସହିତ ଶାରୀରିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ହାତ ବିଶୋଧନ କରିବା ନିୟମକୁ ମାନି କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

Related Posts