ଟିଏମସିରେ ସାମିଲ ହୋଇ ପାରନ୍ତି ଶତ୍ରୁଘ୍ନ ସିହ୍ନା, କହିଲେ – “ରାଜନୀତିରେ ସମ୍ଭାବନା ଖୋଜିବା ଏକ କଳା “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପୁଣି ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସିହ୍ନାଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ସାମିଲ ହୋଇ ପାରନ୍ତି। 

  ତେବେ ଗତ କିଛିଦିନ ତଳେ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ହିନ୍ଦିରେ ଏକ ଟ୍ବିଟ୍ କରିଥିଲେ। ଏହାପରେ ସେ ପୁଣିଥରେ ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବର୍ତ୍ତମାନ ମିଳୁଥିବା ସୂଚନା ମୁତାବକ ସେ ବିଜେପି ଅପେକ୍ଷା ମମତା ବାନାର୍ଜୀଙ୍କ ଟିଏମସିକୁ ଖୁବ୍ ପସନ୍ଦ କରୁଛନ୍ତି। ଶତ୍ରୁଘ୍ନ ସିହ୍ନା ପ୍ରଥମେ ବିଜେପିରେ ଥିଲେ। କିନ୍ତୁ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ସେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। ହେଲେ ସାଧାରଣ ନିର୍ବାଚନରେ ବିଜେପିର ରବିଶଙ୍କର ପ୍ରସାଦଙ୍କ ଠାରୁ ସେ ପରାସ୍ତ ହୋଇଥିଲେ। 

    2024 ଲୋକସଭା ନିର୍ବାଚନରେ ​​ମମତା ବାନାର୍ଜୀ ମୋଦୀଙ୍କ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ସିହ୍ନା କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ରାଜନୀତିରେ ସବୁ କିଛି ସମ୍ଭବ ବୋଲି କହିଥିଲେ। ଟିଏମସିର ଜଣେ ନେତା କହିଛନ୍ତି ଯେ ଏ ବାବଦରେ ସିହ୍ନାଙ୍କ ସହ ସେମାନେ ଆଲୋଚନା କରୁଛନ୍ତି ଏବଂ ଆଲୋଚନା ସଠିକ୍ ଦିଗରେ ଚାଲିଛି। ସେ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସହ ଶତ୍ରୁଘ୍ନ  ସିହ୍ନାଙ୍କ ସର୍ବଦା ଭଲ ସମ୍ପର୍କ ରହିଛି।

  ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜୁଲାଇ ୨୧ ଶହୀଦ ଦିବସ ଅବସରରେ ଶତ୍ରୁଘ୍ନ ଟିଏମସିରେ ସାମିଲ୍ ହୋଇପାରନ୍ତି। ‘ବିହାରୀ ବାବୁ’ ନାମରେ ଜଣାଶୁଣା ସିହ୍ନା ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି ତାଙ୍କୁ ‘ରିଅଲ୍ ରୟାଲ୍ ବେଙ୍ଗଲ୍ ଟାଇଗର’ ବୋଲି କହିଥିଲେ। ପାଟନା ସାହିବ ଲୋକସଭା ଆସନରୁ ଦୁଇଥର ବିଜେପି ସାଂସଦ ଥିବା ସିହ୍ନା 2019 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ। 

     ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବିଜେପି ନେତା ମୁକୁଲ ରୟ ମଧ୍ୟ ବିଜେପି ଛାଡି ଟିଏମସିକୁ ଫେରିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଘୋର ବିରୋଧୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ସେ ମଧ୍ଯ ଟିଏମସିରେ ସାମିଲ୍ ହୋଇଥିଲେ।

Related Posts