ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଚିନ୍ତା ପ୍ରକଟ

ପୁରୀ : ଗତକାଲି ଶ୍ରୀମନ୍ଦିରରେ ଘଟିଥିବା ଘଟଣାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି | ଅନେକ ଦିଗରୁ ଭିନ ଭିନ୍ନ ମତ ପ୍ରକାଶ ପାଇଛି | ସେପଟେ ରୋଷଘର ଚୁଲିଭଙ୍ଗା ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ତାଙ୍କୁ ଦୁଃଖିତ ଓ ବ୍ୟଥିତ କରିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଧର୍ମେନ୍ଦ୍ର ଏକ ଟ୍ୱିଟ୍ କରିଛନ୍ତି । ଧର୍ମେନ୍ଦ୍ର ଲେଖିଛନ୍ତି, ମହାପ୍ରଭୁ ଓଡିଶାବାସୀ ଓ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ବୋଲି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ।
ସେ ଆହୁରି ଲେଖିଛନ୍ତି, ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ । ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତି ନହେବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିଭଳି ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଦୁଇ ଦିନ ତଳୁ ରୋଷ ଘର ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଗକୁ ଏହା ବିସ୍ଫୋରକ ରୂପ ନେବ ବୋଲି ଉଭୟ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଜାଣିଥିଲେ । ହେଲେ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ଭକ୍ତଙ୍କ ଭାବାବେଗ ସହ ଖେଳିବା ପରି କାମ ହୋଇଛି । ତେଣୁ ଚୁଲା ଭାଙ୍ଗିଥିବା ଲୋକଙ୍କ ସହ ପ୍ରଶାସନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ବିଜୟ ମହାପାତ୍ର ।

ବିଜୟ କହିଛନ୍ତି, ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକ ଏଜେନ୍ସି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଦାୟିତ୍ୱରେ ଜଣେ ଅତିରିକ୍ତ ଏସପି ର୍ୟାଙ୍କର ଅଧିକାରୀ ରହିବା ପାଇଁ କୁହାଯାଇଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଏହା ସହ ମନ୍ଦିର ପାଇଁ ଜଣେ ମୁଖ୍ୟ ପ୍ରଶାସକ ରହିବାକୁ ସୁପ୍ରିମକୋର୍ଟ କହିଥିଲେ । ଯେ କି ଅନ୍ୟ କୌଣସି ଦାୟିତ୍ୱରେ ନଥିବେ । ହେଲେ ଏବେ ଏକାଧିକ ବିଭାଗ ଦାୟିତ୍ୱରେ ଥିବା ଭିଭି ଯାଦବଙ୍କୁ କେମିତି ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିଛନ୍ତି । କେବଳ ଆର୍ଥିକ ସ୍ୱାର୍ଥ ପାଇଁ ବେଆଇନ କାମ ହେଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ରାଜ୍ୟ ସରକାର, ଏଏସଆଇ ଓ ଏନଏମଏକୁ କାଠ ଗଡାକୁ ଟାଣିଛନ୍ତି ବିଜୟ ମହାପାତ୍ର ।

ଅନ୍ୟପଟେ ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ଥାନାରେ ପହଞ୍ଚିଛି ମାମଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯାଇଛି । ଘଟଣାକୁ ନେଇ ଜିଲ୍ଲାପାଳ ଓ ଏସପି ବୈଠକ କରିଛନ୍ତି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କୁହାଯାଉଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ଜଗନ୍ନାଥଙ୍କ ୪୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଚୁଲାକୁ ଶାବଳରେ ମନ୍ଦିର ପହଡ଼ ପଡ଼ିବା ପୂର୍ବରୁ ଭଙ୍ଗାଯାଇଥିବା ସୂଚନା ମିଳିଛି |

Related Posts