ଖୁଲମଖୁଲା ଚ୍ୟାଲେଞ୍ଜ କଲେ ଏସପି ନେତା; ୧୬ ଥର ଜେଲ ଯାଇ ଫେରିଛି, ଏମାନେ ଆମ ବିରୁଦ୍ଧରେ କଣ ମାମଲା କରିବେ ?

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରିକି ଅନେକ ପରସ୍ପରକୁ ଟାର୍ଗେଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । କିଏ ବିରୋଧୀର ନେତାମାନଙ୍କୁ ଗୁଣ୍ଡା କହୁଥିବାବେଳେ ଆଉ କିଏ ଶାସକ ଦଳକୁ ଖୁଲମଖୁଲ୍ଲା ଚ୍ୟାଲେଞ୍ଚ ଦେଉଥିବାର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସପା ବିଧାୟକ ପ୍ରାର୍ଥୀଙ୍କ ଧମକପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମାଜବାଦୀ ପାର୍ଟି ପ୍ରାର୍ଥୀ ଖୋଲାଖୋଲି ଭାବେ ପୋଲିସ ଏବଂ ପ୍ରଶାସନକୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି । ପୋଲିସ ମାମଲା ରୁଜୁ କରିବାକୁ ନେଇ ସିଧାସଳଖ ବିଭାଗକୁ ଚ୍ୟାଲେଞ୍ଜ କରିଛନ୍ତି ଏସପି ପ୍ରାର୍ଥୀ ସୁଖିୟା ଗୁର୍ଜର । ସେପଟେ ଭାଇରାଲ ହେଉଥିବା ଭିଡିଓ ୟୁପିର ଅମରୋହା ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ହସନପୁରରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସପା ନେତା ସୁଖିୟା ଗୁର୍ଜର, ବର୍ତ୍ତମାନ ସେଠାକାର ବିଜେପି ବିଧାୟକଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି ।

ଭିଡିଓରେ ସେ କହୁଛନ୍ତି, ‘୧୬ ଥର ଜେଲ ଯାଇ ଫେରିଛି । ଏମାନେ ଆମ ବିରୁଦ୍ଧରେ ମାମଲା କରିବେ? ଏଭଳି ଲୋକଙ୍କୁ ଠିକ୍ କରିବା ପାଇଁ ମୁଁ ଓ୍ବାର୍କସପ୍ ଖୋଲିଛି । ଏମାନଙ୍କୁ କେମିତି ଠିକ୍ କରାଯିବ ତାହା ମୋତେ ବେଶ୍ ଭଲ ଭାବେ ଜଣା । ସୁଖିୟା ଗୁର୍ଜର ଭିଡିଓରେ ସେ ମୁଲାୟମ ସିଂହ ଯାଦବଙ୍କର କଟ୍ଟର ଶିଷ୍ୟ ବୋଲି କହୁଛନ୍ତି । ହସନପୁରର ବର୍ତ୍ତମାନ ବିଜେପି ବିଧାୟକଙ୍କୁ ଟାର୍ଗେଟ୍ କରି ସପା ପ୍ରାର୍ଥୀ କହିଛନ୍ତି, ‘ଆପଣଙ୍କ ଏବେର ବିଧାୟକ ଯେତେ ଭ୍ରଷ୍ଟାଚାର କରିଛନ୍ତି ସବୁର ହିସାବ ବାହାର କରିବି । ସବୁ କଳା ଧନ ବାହାର କରି ଜନତାଙ୍କୁ ବାଣ୍ଟିବି । ଯଦି କାହାର ଅସମ୍ମାନ କରୁଥିବି ତେବେ ଭାଇ ବୋଲି ଭାବି କ୍ଷମା କରିବେ । ସମାଜବାଦୀ ପାର୍ଟି ନେତାଙ୍କର ଏଭଳି ବୟାନର ଭିଡିଓ ଭାଇରାଲ ହେବା ପରେ ୟୁପିରେ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଛି ।

ବିଧାୟକ ଏବଂ ପୋଲିସ ପ୍ରଶାସନକୁ ଖୋଲାଖୋଲି ଧମକ ଦେଉଥିବାର ଭିଡିଓ ତାଙ୍କର କେହି ଜଣେ ସମର୍ଥକ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି । ଯାହା ଫଳରେ ସପା ପ୍ରାର୍ଥୀ ସୁଖିୟା ଗୁର୍ଜରଙ୍କୁ ଏବେ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡୁଛି ।ସୋସିଆଲ ମିଡିଆରେ ଗୁର୍ଜରଙ୍କ ଅଭଦ୍ରାମୀ ଟିପ୍ପଣୀର ଭିଡିଓ ଭାଇରାଲ ହେବାପରେ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ କହିବା ମୁତାବକ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସପା ପ୍ରାର୍ଥୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ପୋଲିସ ଗୁର୍ଜରଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୮୮ ଏବଂ ୨୬୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Posts