ଚକ୍ରାନ୍ତ ଚରିତ୍ର ପାଇଁ ଖାଇବେ ଚୋଟ ! ରାହୁଲଙ୍କ ନାଁ ଧରି ଅଡୁଆରେ ଶ୍ରୀକାନ୍ତ

ନିଜର ଚକ୍ରାନ୍ତ ଚରିତ୍ର ପାଇଁ ଆଗକୁ ଅଡୁଆରେ ପଡ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ପିସିସି ସଭାପତି ନିରଞ୍ଜନଙ୍କୁ ଗାତକୁ ଠେଲିବାକୁ ଯାଇ ଶ୍ରୀକାନ୍ତଙ୍କ ନିଜ ଗୋଡ଼ ଖସାଇ ଦେବାର ସମ୍ଭାବନା ଦେଖାଦେଇଛି ।

ପିସିସି ସଭାପତି ହେବା ପରେ ନିରଞ୍ଜନଙ୍କୁ ପରୋକ୍ଷରେ ଖଣି ମାଫିଆ ନେତା ବୋଲି କହିଥିଲେ ଶ୍ରୀକାନ୍ତ । ଏ ଚାଲ୍‌ ଦାନା ନ ଧରିବା ପରେ କଂଗ୍ରେସ ବିଧାୟକ କୃଷ୍ଣ ସଗରିଆଙ୍କ କାନ୍ଧରେ ବନ୍ଧୁକ ରଖିଥିଲେ ଜେନା । ଏମିତିକି ସଗରିଆର ବିଧାୟକ ପଦରୁ ଇସ୍ତଫା ପଛରେ ଶ୍ରୀକାନ୍ତ ଜେନାଙ୍କର ହାତ ରହିଛି ବୋଲି ଚାରିଆଡ଼େ ଚର୍ଚ୍ଚା ।

ଆଗକୁ ନିର୍ବାଚନ, ସେପଟେ ଶ୍ରୀକାନ୍ତ କଂଗ୍ରେସରେ କଣଠେସା ହୋଇ ରହିଛନ୍ତି । ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ଓ ନିରଞ୍ଜନ ପଟ୍ଟନାୟକଙ୍କ ପାଖରେ ଭାଉ ବଜାୟ ରଖିବା ପାଇଁ ସାମାଜିକ ନ୍ୟାୟ ଆନ୍ଦୋଳନର ବନ୍ଦୋବସ୍ତ ଚଳାଇଛନ୍ତି ଶ୍ରୀକାନ୍ତ ବାବୁ । ଏଥିପାଇଁ ସେନାପତି ଭାବରେ କୃଷ୍ଣ ସଗରିଆଙ୍କୁ ବାଛିଛନ୍ତି ଶ୍ରୀକାନ୍ତ ।

ଏମିତି କରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଭୋଟ୍‌କୁ ପୋଲାରାଇଜ୍‌ କରିବା ଚାଲ୍‌ରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଗତ 10 ତାରିଖ ଦିନ ଗଣମାଧ୍ୟମକୁ ଶ୍ରୀକାନ୍ତ ଦେଇଥିବା ଏକ ବୟାନକୁ ନେଇ କଂଗ୍ରେସ ଦଳ ଭିତରେ ଆରମ୍ଭ ହୋଇଛି ପ୍ରତିକ୍ରିୟା । ନିଜ କଥାର ବିଶ୍ବସନୀୟତା ଓ ଆଉ ଟିକିଏ ଭାଉ ଦେଖାଇବାକୁ ଯାଇ ରାହୁଲ ଗାନ୍ଧିଙ୍କୁ ବି ୟା ଭିତରକୁ ଟାଣି ଆଣିଛନ୍ତି ଶ୍ରୀକାନ୍ତ ।

କହିଛନ୍ତି ଯଦି ରାଜ୍ୟରେ କଂଗ୍ରେସ ଜିତେ, ତେବେ ଜଣେ ଦଳିତ ଓ ଆଦିବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ, ଏ ନେଇ ଶ୍ରୀକାନ୍ତ କୁଆଡ଼େ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ସ୍ବତନ୍ତ୍ର ଭାବରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧି ଏ ପ୍ରସ୍ତାବରେ ରାଜି ବୋଲି ତାଙ୍କୁ କଥା ଦେଇଛନ୍ତି ବୋଲି ଶ୍ରୀକାନ୍ତ ଗଣମାଧ୍ୟମକୁ କହିଛନ୍ତି ।

ତେବେ ବିବାଦୀୟ ବିଷୟଟି ହେଲା ରାହୁଲ ଗାନ୍ଧିଙ୍କ ନାଁ ଧରି ଶ୍ରୀକାନ୍ତଙ୍କ ରାଜନୈତିକ ବୟାନ । ଦଳିତ ମୁଖ୍ୟମନ୍ତ୍ରୀ ହେବା ଯେତିକି ବିବାଦୀୟ ନୁହେଁ, ରାହୁଲ ଗାନ୍ଧିଙ୍କ ନାଁ ଧରି ସର୍ବସାଧାରଣରେ ଗଣମାଧ୍ୟମକୁ ବୟାନ ଦେବା ଠିକ୍‌ ନୁହେଁ ବୋଲି କଂଗ୍ରେସର କିଛି ନେତା କୁଆଡ଼େ ରାହୁଲ ଗାନ୍ଧିଙ୍କ ନିକଟରେ ଫେରାଦ୍‌ ହେବେ ବୋଲି ଶୁଣିବାକୁ ମିଳୁଛି ।

Related Posts