ହକି ବିଶ୍ବକପ୍‌ ଫାଇନାଲ୍‌, ମୁହାଁମୁହିଁ ହେବେ ନେଦରଲାଣ୍ଡସ ଓ ବେଲଜିୟମ

ହକି ବିଶ୍ବକପ୍‌ ଫାଇନାଲ୍‌ ମୁକାବିଲା । ରବିବାର ସଂଧ୍ୟାରେ ଟାଇଟଲ ପାଇଁ ମୁହାଁମୁହିଁ ହେବେ ନେଦରଲାଣ୍ଡସ ଓ ବେଲଜିୟମ । ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ବେଲଜିୟମ । ସେହିପରି ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଶନିବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୦-୬ ଗୋଲରେ ପରାସ୍ତ କରିଥିଲା ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମ୍ । ଏଥିସହିତ ବେଲଜିୟମ୍‌ ପ୍ରଥମ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିଲା ।

ସେହିପରି ହାଇଭୋଲଟେଜ ଦ୍ବିତୀୟ ସେମିଫାଇନାଲରେ ଭେଟିଥିଲେ ଗତ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ରନର୍ସଅପର ନେଦରଲାଣ୍ଡସ । ଏଥିରେ ନେଦରଲାଣ୍ଡସ୍‌ ୪-୩ ସୁଟ୍‌ଆଉଟ୍‌ରେ ଗତ ଦୁଇ ଥର ବିଶ୍ବକପ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ମ୍ୟାଚର ଅନ୍ତିମ ମିନିଟ୍‌ ପର୍ଯ୍ୟନ୍ତ ନେଦରଲାଣ୍ଡ ୨-୧ରେ ଆଗୁଆ ଥିଲା ।

ତେବେ ଶେଷ ମୂହୁର୍ତ୍ତରେ ଅଷ୍ଟ୍ରେଲିଆ ଅଧିନାୟକ ଏଡି ଅକେନଡେନଙ୍କ ସଟ ନେଦରଲାଣ୍ଡର ସିଭ ଭାନ ଆସଙ୍କ ଷ୍ଟିକରେ ବାଜି ଗୋଲପୋଷ୍ଟ ମଧ୍ୟକୁ ଚାଲି ଯାଇଥିଲା । ଏହି ଆତ୍ମଘାତୀ ଗୋଲ ଫଳରେ ମ୍ୟାଚ ସମାନ ସ୍ତରକୁ ଆସି ଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ । ଫଳରେ ସୁଟ୍‌ଆଉଟର ସାହାଯ୍ୟ ନିଆ ଯାଇଥିଲା । ଏଥିରେ ନେଦରଲାଣ୍ଡ ୪-୩ ରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା ।

Related Posts