ଅଲ-କାଏଦା ମୁଖ୍ୟକୁ ନେଇ ତାଲିବାନ ସରକାରର ସ୍ପଷ୍ଟୀକରଣ; “ଜୱାହିରି ଆଫଗାନିସ୍ତାନରେ ରହୁଥିବା ନେଇ ସରକାର ଅବଗତ ନଥିଲେ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୨୧ ବର୍ଷର ପ୍ରତିଶୋଧ ନେଇଛି ଆମେରିକା। ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିବା ଅଲ-କାଏଦା ମୁଖ୍ୟ ଆଇମାନ ଅଲ୍ ଜୱାହିରି। ସେ ଆଫଗାନିସ୍ତାନରେ ଦୀର୍ଘ ଦିନ ହେବ ରହିଆସୁଥିଲା। କାବୁଲରେ ଜୱାହିରିର ଅବସ୍ଥିତି ସମ୍ପର୍କରେ ନିଶ୍ଚିତ ହେବା ପରେ ଆମେରିକା ତାକୁ ନିପାତ କରିବା ଲାଗି ଯୋଜନା କରିଥିଲା।ଆମେରିକା କହିବା ଅନୁଯାୟୀ ଗତବର୍ଷ ଅଗଷ୍ଟରେ ତାଲିବାନ ସଂଗଠନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରଠାରୁ ଜୱାହିରି କାବୁଲରେ ସୁରକ୍ଷିତ ଅବସ୍ଥାନ କରିଥିଲା। ମାତ୍ର ଗୁରୁବାର ଆଫଗାନିସ୍ତାନର ତାଲିବାନ ସରକାର ଏନେଇ ସ୍ପଷ୍ଟୀକରଣ ଦେଇ କହିଛି ଯେ ଜୱାହିରି ଦେଶରେ ରହୁଥିବା ନେଇ ତାଲିବାନ ସରକାର ଅବଗତ ନଥିଲେ।ଜାତିସଂଘରେ ଅବସ୍ଥାପିତ ତାଲିବାନ ସରକାରର ପ୍ରତିନିଧି ସୁହେଲ ସାହିନ କହିଛନ୍ତି ଯେ ଜୱାହିରି ସମ୍ପର୍କରେ ତାଙ୍କ ସରକାର ଅବଗତ ନଥିଲେ। ଆମେରିକା ଯେଉଁ ଦାବି କରିଛି ତାର ସତ୍ୟତା ଉପରେ ତଦନ୍ତ କରାଯାଉଛି। ତଦନ୍ତ ପରେ ତଥ୍ୟକୁ ସାର୍ବଜନୀନ କରାଯିବ।

ଅନ୍ୟପଟେ ତାଲିବାନ କହିଛି ଯେ ଆମେରିକା ଯେପରି ଢଙ୍ଗରେ ଆଫଗାନିସ୍ତାନ ବାୟୁସୀମା ଲଙ୍ଘନ କରି ଜୱାହିରିକୁ ହତ୍ୟା କଲା ତାହା ଦେଶର ସାର୍ବଭୌମତ୍ବକୁ କ୍ଷତି ପହଞ୍ଚାଇଛି। ତେଣୁ ଆଗାମୀ ଦିନରେ ଆମେରିକା ଯଦି ଏପରି କୌଣସି ଭୁଲ୍ କରେ ତେବେ ଏହାକୁ ପରିଣାମ ଭୋଗ କରିବାକୁ ପଡିବ। ଜୱାହିରିର ମୃତ୍ୟୁକୁ ନେଇ ତାଲିବାନ ପ୍ରଶାସନର ଏପରି ଚେତାବନୀ ଆଫଗାନିସ୍ତାନ ପାଇଁ ବୁମେରାଂ ହୋଇଛି। କାରଣ ଆନ୍ତର୍ଜାତିକ ସଂଗଠନଗୁଡିକରୁ ସହାୟତା ପାଇବା ଲାଗି ତାଲିବାନ ସରକାର ଚଳାଇଥିବା ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। କାରଣ ସରକାର ଗଠନ ସମୟରେ ତାଲିବାନ ପ୍ରଶାସନ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବାରେ ବିଫଳ ହୋଇଛି। ନିଜର ମାଟିକୁ ଆତଙ୍କବାଦୀ କାର୍ୟ୍ୟକଳାପ ଲାଗି ବ୍ୟବହାର ହେବାକୁ ଦେବ ନାହିଁ ବୋଲି ତାଲିବାନ କହିଥିଲା।

Related Posts