ନାରୀମାନଙ୍କ ଅଧିକାରକୁ ସଂକୁଚିତ କରୁଛି ତାଲିବାନ ଶାସନ: ବିରୋଧରେ ପୁରୁଷ ଆଙ୍କରଙ୍କ ମୁହଁରେ ମାସ୍କ ଲଗାଇ ସମ୍ବାଦ ପାଠ

କାବୁଲ : ଆଫଗାନିସ୍ଥାନରେ ତାଲିବାନ ଶାସନ ଆରମ୍ଭ ହେବା ଦିନଠରୁ ନିଜ ମନମାନି ଚଳାଇ ଆସୁଛି । ବିଶେଷ କରି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର କଟକଣା ଲଗାଇ ଅତ୍ୟାଚାର କରି ଆସୁଛି । ନାରୀମାନଙ୍କ ଅଧିକାର ସଂକୁଚିତ କରିବାରେ ଲାଗିଛି ।

ଗୋଟିକ ପରେ ଗୋଟିଏ ଆଦେଶରେ ନାରୀମାନଙ୍କ ଉପରେ କଠୋର କଟକଣା ଲଗାଉଛି । ନିକଟରେ ତାଲିବାନ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ ମହିଳା ନ୍ୟୁଜ ଆଙ୍କରଙ୍କୁ ମୁହଁ ଆବୃତ କରି ସମ୍ବାଦ ପାଠ କରିବାକୁ କୁହାଯାଇଛି । ଏହାକୁ ନେଇ ଆଫଗାନିସ୍ତାନ ସମେତ ସମଗ୍ର ବିଶ୍ବରେ ଥିବା ଆଫଗାନମାନେ ବିରୋଧ କରିଛନ୍ତି । ମହିଳା ଆଙ୍କରମାନଙ୍କୁ ସମର୍ଥନ କରି ପୁରୁଷ ଆଙ୍କରମାନେ ମଧ୍ୟ ମୁହଁରେ ମାସ୍କ ଲଗାଇ ସମ୍ବାଦ ପାଠ କରୁଛନ୍ତି ।
ଏହା ପୂର୍ବରୁ ଆଫଗାନିସ୍ତାନରେ ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଉପରେ କଟକଣା ଜାରି କରାଯାଇଥିଲା । ଆଫଗାନିସ୍ତାନର ସହର ହେରାତରେ ତାଲିବାନର ଅଧିକାରୀମାନେ ମହିଳାମାନଙ୍କୁ ଲାଇସେନ୍ସ ନ ଦେବାକୁ ଡ୍ରାଇଭିଂ ସ୍କୁଲମାନଙ୍କୁ ତାଲିବାନ ନିର୍ଦ୍ଦେଶ ଦେଇଥିଲା । ସେହିପରି ରେଷ୍ଟୋରାଁରେ ମହିଳା ଓ ପୁରୁଷ ଏକାଠି ଖାଇବା ଉପରେ କଟକଣା ଜାରି କରାଯାଇଥିଲା । ସେହିପରି ପରିବାରର ଜଣେ ପୁରୁଷ ସଦସ୍ୟଙ୍କ ବିନା ବଜାରକୁ ନ ଯିବାକୁ ମହିଳାମାନଙ୍କୁ କୁହାଯାଇଛି । ମହିଳା ପୁରୁଷ ସମ୍ପର୍କୀୟଙ୍କ ବିନା ବିମାନରେ ଚଳାଚଳ କରିପାରିବେ ନାହିଁ ବୋଲି କହିଛି ତାଲିବାନ ।

Related Posts