OERC କାନ୍ଧରେ ଟାଟା ସହ ବେପାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଓଡ଼ିଶାର ବିଦ୍ୟୁତ ବିତରଣରେ ସିଂହଭାଗ ସମ୍ଭାଳୁଥିବା ସେସୁକୁ ବିକିବା ଯୋଜନାକୁ ନେଇ ଅଡ଼ୁଆରେ ସରକାର । OERC କାନ୍ଧରେ ହାତ ରଖି ଟାଟା ପାୱାର ସହ ବେପାର କରୁଛନ୍ତି ରାଜ୍ୟ ସରକାର । ସରକାରଙ୍କ ଚିଠିକୁ ଆଖି ବନ୍ଦ କରି OERC ସରକାରୀ ବିଭାଗ ଭଳି ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବିରୋଧୀ ଏବଂ ଉପଭୋକ୍ତା ମହାସଂଘ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ପ୍ରଥମେ ସରକାରଙ୍କ ପକ୍ଷରୁ କୁହାଗଲା କି ସେସକୁ ବିକ୍ରି କରିବା ନିଷ୍ପତ୍ତି OERCର । କିନ୍ତୁ ସତ୍ୟପାଠ ହାତରେ ଲାଗିଥିବା ସରକାରୀ ନଥିପତ୍ର କହୁଛି ଏଭଳି ନିଷ୍ପତ୍ତି ସରକାରଙ୍କର ଯାହାକୁ ପାଳନ କରିଛି OERC । ଏନେଇ ଡିସେମ୍ବର 13ରେ OERCକୁ ସରକାର ଚିଠି କରି ଟାଟା ପାୱାରକୁ ସେସୁର ୫୧% ଅଂଶଧନ ବିକ୍ରି କରିବାକୁ କହିଥିଲେ । ଏହା ପରେ ସରକାରଙ୍କ ଗେହ୍ଲା ପୁଅ ଭଳି ୨୦ ତାରିଖରେ ସେସକୁ ଟାଟା ପାୱାରକୁ ବିକିବାକୁ ପ୍ରସ୍ତାବ ଦେଇଥିଲା OERC । ଓଡିଶା ବିଦ୍ୟୁତ ନିୟାମକ ଆୟୋଗର କାର୍ଯ୍ୟଶୈଳୀକୁ ନେଇ ଉଠିଛି ପ୍ରଶ୍ନ ।

୫ ହଜାର କୋଟି ଟଙ୍କାର ଘରୋଇ କମ୍ପାନି ସେସୁକୁ ବିକ୍ରି କରି ଟାଟା ପାୱାର ସହ ବେପାର କରିବାକୁ ଯୋଜନା କରିଛନ୍ତି ସରକାର । ପୂର୍ବରୁ ସେସୁର ୫୧ ପ୍ରତିଶତ ସେୟାର AEAS କମ୍ପାନିକୁ ଦିଆଯାଇଥିବା ବେଳେ ଉକ୍ତ କମ୍ପାନି ପ୍ରାୟ 700 କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସେସୁ ବିକ୍ରି ପାଇଁ କରାଯାଇଥିବା ଲେଟର୍ ଅଫ୍ ଇଣ୍ଟେଣ୍ଟ ମଧ୍ୟ ଉପଭୋକ୍ତାଙ୍କ ସ୍ବାର୍ଥ ବିରୋଧୀ ବୋଲି କୁହାଯାଇଛି । ସେପଟେ ବିଜୁଳିକୁ ନେଇ ସରକାରଙ୍କର କିଛି ସ୍ପଷ୍ଟ ନୀତି ନଥିବା ବେଳେ ସଠିକ ଆକଳନ କରା ନଯାଇ ଏଭଳି ସାଗ ମାଛ ମୂଲ୍ୟରେ ସେସୁକୁ ବିକ୍ରି ପାଇଁ ସରକାରଙ୍କ ଉଦ୍ୟମକୁ ସମାଲୋଚନା କରିଛନ୍ତି ଉପଭୋକ୍ତା ମହାସଂଘ ସଭାପତି ପଞ୍ଚାନନ କାନୁଗୋ ।

‘ରାଜ୍ୟରେ ୨୬ ଲକ୍ଷ ୪୦ ହଜାରରୁ ଅଧିକ ଉପଭୋକ୍ତା ଥିବାବେଳେ ୬୭ ହଜାର ଥ୍ରୀ ଫେଜ ବିଦ୍ୟୁତ ନେଇଛନ୍ତି । ହେଲେ ଥ୍ରୀ ଫେଜ୍ ଉପଭୋକ୍ତାଙ୍କ ମଧ୍ୟରୁ ୮୫୨୨ ଜଣଙ୍କର ବିଦ୍ୟୁତ ମିଟର ଲାଗି ନାହିଁ ଏବଂ ରାଜ୍ୟରେ ୫୪୭୫ଟି ମିଟର ଖରାପ ରହିଛି । ତେଣୁ ଏମାନଙ୍କଠାରୁ ବିଲ ଆଦାୟ ହେଲେ ପ୍ରାୟ ତିନି ଶହ କୋଟି ଟଙ୍କା ଟପିଯିବ । ଏପରିକି ସେସୁ ବିକ୍ରି ହେଲେ କେନ୍ଦ୍ରୀୟ ଅନୁଦାନ ବାବଦକୁ ଆସିବାକୁ ଥିବା ପ୍ରାୟ ୨ ହଜାର କୋଟି ଆଉ ରାଜ୍ୟକୁ ମିଳିବ ନାହିଁ । ଏସବୁ ସମସ୍ୟାର ସମାଧାନ କରିବାକୁ ହେଲେ ପାୱାର ଅଡିଟ କରିବା ଆବଶ୍ୟକ । ଏହା ହେଲେ କେତେ ବିଦ୍ୟୁତ ବ୍ୟବହାର ହେଉଛି, କେତେ ଚୋରୀ ହେଉଛି ତାହା ସ୍ପଷ୍ଟ ହୋଇଯିବ । ଏହା ଛଡ଼ା 74 ସଂଶୋଧନ ଆଇନ ମୁତାବକ ଯଦି ବିଦ୍ୟୁତ ବଣ୍ଟନ ଦାୟିତ୍ବ ଫ୍ରାନ୍‌ଚାଇଜ୍ ନଦେଇ ପଞ୍ଚାୟତକୁ ଦିଆଯିବ ତେବେ ଶତ ପ୍ରତିଶତ ବକେୟା ଟଙ୍କା ଆଦାୟ ହୋଇପାରିବ ବୋଲି ଉପଭୋକ୍ତା ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ସରକାର କହୁଛନ୍ତି ଯେ ଏଟିସି କ୍ଷତି କମାଇବା ସହ କ୍ଷତି ଭରଣା ପାଇଁ ଘରୋଇ କମ୍ପାନି କାର୍ଯ୍ୟ କରିବ । ସେସୁକୁ କିଣିବାକୁ ଥିବା ଟାଟା ପାୱାର କମ୍ପାନି ୫ ବର୍ଷରେ ୧୫୪୦ କୋଟି ଟଙ୍କା ବ୍ୟୟ କରିବ । କିନ୍ତୁ ପୂର୍ବରୁ ବିଭିନ୍ନ ଘରୋଇ କମ୍ପାନି ରାଜ୍ୟବାସୀଙ୍କୁ ଠକିଥିବାରୁ ଟାଟା ଉପରେ ବି ଭରସା କରାଯାଇ ପାରିବନାହିଁ ବୋଲି କହିଛନ୍ତି ଉପଭୋକ୍ତା ମହାସଂଘ ସଭାପତି ପଞ୍ଚାନନ କାନୁନଗୋ ।

Related Posts