ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିହାର ଗସ୍ତ; ନୀତିଶ-କେସିଆର ଭେଟଘାଟ ନେଇ ସବୁଠି ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ବିହାର ଗସ୍ତରେ ଯିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏହି ଗସ୍ତ ଅବସରରେ କେସିଆର ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ସହିଦ ହୋଇଥିବା ୧୯ ଜଣ ଭାରତୀୟ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବେ। ତେବେ ନିକଟରେ ଏଠାରେ ଅଗ୍ନିକାଣ୍ଡ ଯୋଗୁ ମୃତ୍ୟୁ ଘଟିଥିବା ବିହାରର ୧୨ ଜଣ ଶ୍ରମିକଙ୍କ ପରିବାର ସମସ୍ୟଙ୍କୁ ମଧ୍ୟ ରାଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ। ରାଓ ସହିଦ ଯବାନଙ୍କ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ଏହାପରେ କେସିଆର ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବେ। ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭବିଷ୍ୟତର ଜାତୀୟ ରାଜନୀତି ବିଷୟରେ ଆଲୋଚନା ହେବ ବୋଲି କୁହାଯାଉଛି। ବିହାରରେ ନୀତୀଶ କୁମାର ଏନଡିଏ ଛାଡ଼ି ଆରଜେଡି, କଂଗ୍ରେସ, ସିପିଆଇ-ଏମଏଲ (ଏଲ), ସିପିଆଇ, ସିପିଆଇ (ଏମ) ସହିତ ସରକାର ଗଠନ କରିଥିବାରୁ ରାଓଙ୍କ ପ୍ରସ୍ତାବିତ ଗସ୍ତ ଗୁରୁତ୍ୱପୂର୍ଣ୍ଣ। କେସିଆରଙ୍କ ଗସ୍ତ ସୂଚୀରେ ନୀତିଶଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିବା ପରେ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି। ତେବେ ବିହାରରେ ସରକାର ପରିବର୍ତନ ହେବା ପରେ ପ୍ରଥମ ଥର ପାଇଁ ନୀତିଶ କୌଣସି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ତେବେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସାକ୍ଷାତକାର ବହୁ ଗୁରୁତ୍ଵ ରଖୁଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।

Related Posts