ବରିଷ୍ଠ କଂଗ୍ରେସ ନେତ୍ରୀ ଇନ୍ଦିରା ହୃଦୟେଶଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହୃଦୟେଶଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି । ରାଜ୍ୟର ପ୍ରଭାରୀ ଦେବେନ୍ଦ୍ର ଯାଦବଙ୍କ ସୂଚନା ମୁତାବକ ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ଦିନ ଦିଲ୍ଲୀ ଆସିଥିଲେ । ଉତ୍ତରଖଣ୍ଡ ଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୭ ଏପ୍ରିଲ ୧୯୪୧ରେ କଂଗ୍ରେସ ନେତ୍ରୀ ଇନ୍ଦିରା ହୃଦୟେଶ ଜନ୍ମ ଗ୍ରହଣ କରିଥିଲେ। ୨୦୧୨ ରେ ସେ ​​ହଲଦ୍ୱାନୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ମନ୍ତ୍ରୀମଣ୍ଡଳରେ ସଂସଦୀୟ, ଉଚ୍ଚଶିକ୍ଷା ଓ ଯୋଜନା ମନ୍ତ୍ରୀ ଥିଲେ। ୧୯୭୪-୮୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭା ପରିଷଦକୁ ନିର୍ବାଚିତ ହୋଇଥିଲେ। କେବେଳ ୧୯୮୦-୮୫କୁ ଛାଡି ଦେଲେ ୧୯୮୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଚତୁର୍ଥ ଥର ପାଇଁ ଉତ୍ତର ପ୍ରଦେଶ ବିଧାନପରିଷଦକୁ ନିର୍ବାଚିତ ହୋଇଥିଲେ। ଉତ୍ତରାଖଣ୍ଡ ନୂଆ ରାଜ୍ୟ ଭାବେ ଗଠନ ହେବା ପରେ ୨୦୦୦-୨୦୦୨ ବିରୋଧୀ ଦଳ ନେତ୍ରୀ ଥିବା ବେଳେ ୨୦୦୨-୨୦୦୭ ନିର୍ମାଣ, ସଂସଦୀୟ ବ୍ୟାପାର, ରାଜ୍ୟ ସମ୍ପତ୍ତି, ସୂଚନା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଥିଲେ। ସେହିପରି ୨୦୧୨-୨୦୧୭ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଅର୍ଥ, ବାଣିଜ୍ୟ କର ମନ୍ତ୍ରୀ ଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସେ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

Related Posts