
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସର ଚିନ୍ତନ ଶିବିର ଆୟୋଜିତ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଶିବିରକୁ ସମ୍ବୋଧନ କରିଥିବାର ଦେଖିବାକୁ ମିଳିଛି । ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବାବେଳେ ଆମର ବାକପଟୁ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି । ମୋଦୀ ସରକାର ନିୟମିତ ଭାବେ ‘ସର୍ବନିମ୍ନ ସରକାର-ସର୍ବାଧିକ ସୁଶାସନ’ କଥା କହୁଛନ୍ତି.. କିନ୍ତୁ ଏହାର ପ୍ରକୃତ କାମ ହେଉଛି ସାଂପ୍ରଦାୟିକ ଧ୍ରୁବୀକରଣ ଓ ଲୋକମାନଙ୍କ ନିୟମିତ ଭାବେ ଭୟ ଓ ଅସୁରକ୍ଷାର ବାତାବରଣ ମଧ୍ୟରେ ରଖିବା ।
ସଂଖ୍ୟାଲଘୁ, ଯେଉଁମାନେ ଆମ ସମାଜର ଏକ ଅଭିନ୍ନ ଅଂଗ, ସେମାନଙ୍କୁ ଆତଙ୍କିତ କରିବା ଓ ଆକ୍ରମଣ କରିବା ଶାସକ ଦଳର ଉଦେ୍ଦଶ୍ୟ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଜେପି ସରକାଙ୍କ ଉଦ୍ଦେଶ୍ୟ ହେଉଛି ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀମାନଙ୍କୁ ଗୌରବାନ୍ବିତ କରିବା ଓ ଜବାହରଲାଲ ନେହେରୁଙ୍କ ଦ୍ବାରା କରାଯାଇଥିବା ଭଲ କାମକୁ ଇତିହାସରୁ ଲିଭେଇ ଦେବା ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।