ମୁଁ ବଞ୍ଚିଥିବା ଯାଏଁ ବିଜେପିର ସାମିଲ୍ ହେବ ନାହିଁ : କପିଲ ଶିବଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଦଳ ଛାଡି ଭାଜପାରେ ଯୋଗଦେବା ପରେ ଏବେ ରାଜନୀତି ସରଗରମ ହୋଇଛି। ଜିତିନ ପ୍ରସାଦ ଦଳ ଛାଡିବା ପରେ କଂଗ୍ରେସ ପାର୍ଟିରେ ଅସନ୍ତୁଷ୍ଟ ଥିବା ତଥାକଥିତ ଜି -୨୩ ଗୋଷ୍ଠୀ ସଦସ୍ୟଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଭାଜପାରେ ଯୋଗଦେବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସିବଲ କହିଛନ୍ତି “ଆମେ ହେଉଛୁ ପ୍ରକୃତ କଂଗ୍ରେସ କର୍ମୀ, ମୋ ଜୀବନରେ କେବେବି ମୁଁ ବିଜେପିରେ ସାମିଲ ହେବି ନାହିଁ। ଏମିତିକି ମୁଁ ମଲା ପରେ ମଧ୍ୟ ମୋର ମୃତ ଶରୀର ବିଜେପିରେ ସାମିଲ ହେବାକୁ ଚିନ୍ତା କରିବି ନାହିଁ। ଯଦି ମୋତେ କଂଗ୍ରେସ ନେତୃତ୍ୱ ଦଳରୁ କାଢି ଦେଲେ ବି ମୁଁ ବିଜେପିରେ ଯୋଗଦେବି ନାହିଁ। ” ତେବେ ଜିତିନ ପ୍ରସାଦଙ୍କ ବିଜେପିରେ ସାମିଲ୍ ହେବାକୁ ନେଇ ସିବଲ କହିଛନ୍ତି, ଦଳର ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ଥିବା ନେତାଙ୍କ ମଧ୍ୟରେ ପ୍ରସାଦ ଥିଲେ। ସେ ଏ ନେଇ ଦଳର ଅନ୍ୟ ନେତାଙ୍କ ପରି ଚିଠି ମଧ୍ୟ ଲେଖିଥିଲେ କିନ୍ତୁ ଦଳ ଛାଡି ବିଜେପିରେ କାହିଁକି ସାମିଲ ହେଲେ ତାହା ଏକ ବିରାଟ ବଡ ପ୍ରଶ୍ନ ବୋଲି ସେ କହିଛନ୍ତି। ସିବଲ କଟାକ୍ଷ କରି କହିଛନ୍ତି କହିଛନ୍ତି ଯେ, “ ବର୍ତ୍ତମାନ ଦେଶରେ ପ୍ରସାଦ (ବ୍ୟକ୍ତିଗତ ଲାଭ) ରାଜନୀତି ଚାଲିଛି। ଏବେ ଲୋକମାନେ ମତଦାନ ଉପରେ ନୁହେଁ ବରଂ ବ୍ୟକ୍ତିଗତ ଲାଭ ପାଇଁ ନିର୍ବାଚନରେ ପ୍ରବେଶ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଦଳର ଶୀର୍ଷ ନେତୃତ୍ୱ  ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କରିବେ ବୋଲି ସେ କହିଛନ୍ତି ।  ” କାରଣ ଶୁଣିବା ବିନା କିଛି ବାଟ ନାହିଁ;  କୌଣସି କର୍ପୋରେଟ୍ ସଂସ୍ଥା ଶୁଣିବା ବିନା ତିଷ୍ଠି ପାରିବ ନାହିଁ ଏବଂ ରାଜନୀତିରେ ମଧ୍ୟ ସମାନ ଅବସ୍ଥା। ଯଦି ତୁମେ ନଶୁଣିବ ତେବେ ଅସୁବିଧାରେ ପଡ଼ିବ। ” ତେବେ ଜିତିନ ପ୍ରସାଦଙ୍କ ବିଜେପିରେ ସାମିଲ୍ ହେବାକୁ ନେଇ ସିବଲ ଟ୍ବିଟ୍ କରି କହିଛନ୍ତି ଯେ,”  ସେ ବିଜେପିରୁ “ପ୍ରସାଦ” ପାଇବେ ନା ୟୁପି ନିର୍ବାଚନ ପାଇଁ ସେ କେବଳ “ମୋହରା”। ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଏମ ଭେରାପ୍ପା ମୋଇଲି କହିଛନ୍ତି ଯେ କଂଗ୍ରେସକୁ ଏକ ବଡ ଅସ୍ତ୍ରୋପଚାରର ଆବଶ୍ୟକ ରହିଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ନିକଟତର କୁହାଯାଉଥିବା ଜିତିନ ପ୍ରସାଦ ବୁଧବାର କଂଗ୍ରେସ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ। ଜିତିନ ଜି -୨୩ ଗୋଷ୍ଠୀର ଜଣେ ସଦସ୍ୟ ଥିଲେ ଯିଏ କି କଂଗ୍ରେସ ନେତୃତ୍ୱରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ।

Related Posts