ୟୁପିରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୨୨ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କ୍ୟାମ୍ପରେ ଏବେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଯୋଗୀ କ୍ୟାବିନେଟରେ ଅଦଳବଦଳର ସମ୍ଭାବନା ଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଯୋଗୀ ଆଦିତ୍ୟ ନାଥ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ସେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନାଡାଙ୍କୁ ଭେଟିବେ ବୋଲି ଜଣାପଡିଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଭାଜପା ଓ କେନ୍ଦ୍ର ସରକାରଙ୍କ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗୀଙ୍କ ଭେଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯୋଗୀଙ୍କ କୋଭିଡ୍‌ ମୁକାବିଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଥିବା ବେଳେ ପାର୍ଟିର ନେତା କିନ୍ତୁ ଏହାର ଓଲଟା କହିଛନ୍ତି। ଯୋଗୀ ଓ ଶାହାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କ୍ୟାବିନେଟ ଅଦଳବଦଳ ସମ୍ପର୍କରେ ଆଲୋଚନା ଯୋଇଥିବା ଜଣାପଡିଛି। ତେବେ ଏହି ସାକ୍ଷାତକାର ସମୟରେ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଠାକୁର ସମ୍ପ୍ରଦାୟ ପ୍ରତି ପକ୍ଷପାତିତା କରାଯାଉଥିବା ଅଭିଯୋଗ ଆସୁଥିବା କାରଣରୁ ସମାଜର ସମସ୍ତ ବର୍ଗଙ୍କୁ ସାଙ୍ଗରେ ନେଇ କାମ କରିବାକୁ ପରାମର୍ଶ ଦେଇଥିବା ନେଇ ସୂଚନା ମିଳିଛି। ଶାହାଙ୍କ ସହ ତାଙ୍କର ସାକ୍ଷାତକାରକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ମଧ୍ୟରେ ଯୋଗୀ ଆଦିତ୍ୟନାଥ ଏହାକୁ “ସୌଜନ୍ୟ ମୂଳକ ସାକ୍ଷାତକାର” ବୋଲି କହିଛନ୍ତି। ଗତ ସପ୍ତାହରେ ବିଜେପି ସାଧାରଣ ସମ୍ପାଦକ ବି ଏଲ୍ ସନ୍ତୋଶ ଲକ୍ଷ୍ନୌରେ ଆଦିତ୍ୟନାଥଙ୍କ କ୍ୟାବିନେଟର ମନ୍ତ୍ରୀମାନଙ୍କ ସହ ତିନି ଦିନ ଧରି ଗୋଟିଏ ପରେ ଗୋଟିଏ ବୈଠକ କରିଥିଲେ। ଏହି ବୈଠକରେ ମନ୍ତ୍ରୀ ମାନେ ଆଦିତ୍ୟନାଥଙ୍କ ବିରୋଧରେ କହିଥିବା ଜଣାପଡିଛି। ଯୋଗୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଦିନ ଠାରୁ ନିଜ ସମ୍ପ୍ରଦାୟର ଲୋକଙ୍କୁ ନିଯୁକ୍ତି ଦେଉଥିବା ସେମାନେ ଅଭିଯୋଗ କରିଥିଲେ ବୋଲି ସୂତ୍ରରୁ ସୂଚନା ମିଳିଛି। ଶାହା ଗୁରୁବାର ଦିନ ମିର୍ଜାପୁରରୁ ଲୋକସଭା ସାଂସଦ ତଥା ଆପ୍ନା ଦଳ (ଏସ) ସଭାପତି ଅନୁପ୍ରିୟା ପଟେଲ ଏବଂ ନିଶାଦ ଦଳର ସଞ୍ଜୟ ନିଶାଦଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ୟୁପିରେ ଉଭୟ ନିଜ ନିଜ ସମ୍ପ୍ରଦାୟ ଉପରେ ଯଥେଷ୍ଟ ପ୍ରଭାବ ରଖିଛନ୍ତି । ତେବେ ବିଜେପି ସାଧାରଣ ସମ୍ପାଦକ ବି ଏଲ୍ ସନ୍ତୋଷ କ୍ୟାବିନେଟ ବିସ୍ତାର ଚର୍ଚ୍ଚାକୁ ଖଣ୍ଡନ କରିଥିବା ବେଳେ ଶାହଙ୍କ ସହ ୟୁପିର ବଡ ବଡ ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏପଟେ ୟୁପିର ବ୍ରାହ୍ମଣ ଚେହେରା କୁହାଯାଉଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ଭାଜପାରେ ମିଶିବାର ଦିନକ ପରେ ଯୋଗୀଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ଉଷ୍ମତାକୁ ବଢାଇଦେଇଛି । ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ଏ.କେ. ଶର୍ମାଙ୍କୁ କ୍ୟାବିନେଟରେ ସାମିଲ କରିବା ନେଇ କେନ୍ଦ୍ରୀୟ ନେତାଙ୍କ ସହ ଯୋଗୀଙ୍କ ସାକ୍ଷାତ ବେଳେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

Related Posts