ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଜୁଏଲାରୀ ଦୋକାନର କାନ୍ଥ କାଟି ସୁନାଗହଣା ଲୁଟ୍ ହୋଇଛି। ଏଭଳି କାଣ୍ଡ ଘଟିଛି କେନ୍ଦୁଝର ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରୁ।
ସୂଚନା ଅନୁସାରେ, ଏସ୍ପିଙ୍କ ଅଫିସ୍ ସମ୍ମୁଖରେ ରହିଛି ସାଇରାମ ଜୁଏଲର୍ସ। ଗତକାଲି ବିଳମ୍ବିତ ରାତିରେ ଏହି ଜୁଏଲାରୀ ଦୋକାନର କାନ୍ଥକୁ କାଟି ଅପରାଧୀମାନେ ପ୍ରାୟ ଅଧ କେଜି ସୁନା ଓ ୫ କେଜି ରୁପା ନେଇ ପଳାଇଛନ୍ତି। ଏନେଇ ଏତଲା କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।
ତେବେ ଦୋକାନର ମ୍ୟାନେଜର ପ୍ରଦୀପ ମଣ୍ଡଳ କହିଛନ୍ତି ଯେ, ଗତକାଲି ରାତିରେ ଦୋକାନ ବନ୍ଦ କରି ଯିବା ପରେ ଏହି ଘଟଣା ଘଟିଛି। ଆଜି ସକାଳେ ଦୋକାନ ଖୋଲିବା ପରେ ଏହା ଜଣାପଡ଼ିଥିଲା। ଦୋକାନ ଭିତରେ ଥିବା ୱାକସର୍ପ ପାର୍ଶ୍ୱ କାନ୍ଥକୁ ଦୁର୍ବୃତ୍ତମାନେ କାଟି କଣା କରିବା ପରେ ଭିତରକୁ ଆସି କଳାକନା ବୁଲାଇଛନ୍ତି। ଦୋକାନରେ ଥିବା ସବୁ ସୁନା, ରୁପା ଓ ଟଙ୍କା ପଇସା ନେଇ ପଳାଇଛନ୍ତି। ଏସ୍ପିଙ୍କ ଅଫିସ୍ ସାମ୍ନାରେ ଏଭଳି କାଣ୍ଡ ଘଟିବା ଆଇନଶୃଙ୍ଖଳା ଉପରେ ଆଙ୍ଗୁଳି ଉଠାଇଛି।ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
