ଜେଲ୍ ରୁ ପାରୋଲ୍‌ରେ ଆସି ଆତ୍ମହତ୍ୟା କଲେ କଏଦୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଜେଲ୍ ରୁ ପାରୋଲ୍‌ରେ ଆସିଥିବା କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ବରାହିପୁର ଗାଁରେ। ତାଙ୍କ ନାଁ ହେଉଛି ରାଜକିଶୋର ନାୟକ  ।  ମିଳିଥିବା ସୂଚନା ଅନୁସାରେ, ରାଜକିଶୋରଙ୍କ ନିଜ ଘର ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ । 

୨୦୦୮ ନଭେମ୍ବରରେ ମାହାଙ୍ଗାର ତ୍ରିବେଣିଶ୍ୱର ବଜାରରେ ହୋଇଥିବା ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ରାଜକିଶୋରଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏଥିରେ ଦୋଷୀ ସାବ୍ୟସ୍ତ ହୋଇ ଚୌଦ୍ୱାର ଜେଲ୍‌ରେ ସେ  ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲେ ।

୧୨ ବର୍ଷ ଜେଲ୍‌ରେ ରହିବା ପରେ ସେ ୪ ମାସ ପାଇଁ ପାରୋଲରେ ଫେରିଥିଲେ। ଏହାପରେ ସେ ଆଉ ଜେଲ୍‌ ଯିବାକୁ ଚାହୁଁ ନଥିଲେ। ଏଥିପାଇଁ ପାରୋଲ ସରିବା ପୂର୍ବ ଦିନ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ବର୍ତ୍ତମାନ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣାକୁ ନେଇ ତାଙ୍କ ଝିଅ କହିଛନ୍ତି, ‘ପାରୋଲରେ ଆସିବା ପରଠୁ ସେ ଆଉ ଜେଲ୍‌ ଯିବାକୁ ଚାହୁଁ ନଥିଲେ। ପାରୋଲ ସରିବା ପୂର୍ବ ଦିନ ଯେମିତି ସେ ଜାଣିଲେ ପୁଣିଥରେ ଜେଲ୍‌କୁ ଯିବାକୁ ପଡ଼ିବ ବୋଲି ଏଭଳି ଚରମ ପଦକ୍ଷେପ ନେଇଛନ୍ତି।’ ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି ।

Related Posts