ଅଟୋ ଲକ୍ ହେଇଗଲା, କାର ଭିତରେ ୪ ପିଲାଙ୍କ ମୃତ୍ୟୁ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ଉତ୍ତରପ୍ରଦେଶର ବାଗପାତ୍ ର ଚାନ୍ଦିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଦିନ ଚନ୍ଦିନଗର ଅଞ୍ଚଳର ସିଙ୍ଗାଲି ଟାଗା ଗ୍ରାମରେ ଖେଳୁଥିବା ସମୟରେ କାର ଟି ଅଟୋ ଲକ୍ ହୋଇଯିବାରୁ କାର୍ ଭିତରେ ଥିବା ୪ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଅନିଲ୍ ତ୍ୟାଗି ନାମକ ଜଣେ ବ୍ୟକ୍ତିଙ୍କ କାର ଗାଁ ମଝିରେ ରଖାଯାଇଥିଲା। ଆଖପାଖ ଅଞ୍ଚଳର ପିଲାମାନେ କାର ଭିତରକୁ ଯାଇ ଖେଳିବା ଆରମ୍ଭ କଲେ, ସେତେବେଳେ ହଠାତ୍ କାରଟି ଅଟୋ ଲକ୍ ହୋଇଯାଇଥିଲା ​​। “ଅଟୋ ଲକ୍ ହେତୁ ପାଞ୍ଚ ଜଣ ପିଲା କାର ଭିତରେ ଖେଳୁଥିବା ବେଳେ ଅଟକି ଯାଇଥିଲେ। ଚାରିଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ତ ପିଲାମାନଙ୍କର ଶବ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା” ବୋଲି ପୋଲିସର ବରିଷ୍ଠ ଅଧିକାରୀ ମଙ୍ଗଲ ସିଂ ରାୱତ କହିଛନ୍ତି। ମୃତ୍ୟୁବରଣ କରିଥିବା ଚାରି ପିଲାଙ୍କ ମଧ୍ୟରୁ ଦୁଇଜଣ ପୁଅ ଏବଂ ଦୁଇଜଣ ଝିଅ ଥିଲେ।

Related Posts