କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ : ସୋନିଆ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ଏବଂ ଦଳର ସାଂସଦମାନେ ନମ୍ରତା ଏବଂ ସଚ୍ଚୋଟତାର ସହ ଏହି ଅବନତିରୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରିବେ।  କଂଗ୍ରେସ ସଂସଦୀୟ ଦଳର ଭର୍ଚୁଆଲ୍ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନ  ଫଳାଫଳକୁ ସମୀକ୍ଷା କରିବା ପାଇଁ CWC ଖୁବ୍ ଶୀଘ୍ର ବୈଠକ କରିବ  । ସେ କହିଛନ୍ତି ଯେ, ଆମର ପ୍ରଦର୍ଶନରୁ ଆମେ ନିଶ୍ଚିତ ଶିକ୍ଷା ଲାଭ କରିବା ଉଚିତ। ଦୁର୍ଭାଗ୍ୟବଶତଃ ସବୁ ରାଜ୍ୟରେ ଆମର ବ୍ୟକ୍ତିଗତ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। କାହିଁକି ଏସବୁ ଘଟିଲା, ତା’ର ସମୀକ୍ଷା କରିବାକୁ ପଡ଼ିବ ବୋଲି ସୋନିଆ କହିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ମମତା ବାନାର୍ଜୀ ଏବଂ ଏମ୍ କେ ଷ୍ଟାଲିନ୍ ଙ୍କୁ  କଂଗ୍ରେସର ବରିଷ୍ଠ ନେତା ମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଧାନସଭା  ନିର୍ବାଚନରେ ​​କଂଗ୍ରେସ ଖରାପ ପ୍ରଦର୍ଶନ କରି ଆସାମ ଏବଂ କେରଳକୁ ଜିତିବାରେ ବିଫଳ ହୋଇଥିଲା ଏବଂ ପୁଡୁଚେରୀରେ ହାରିଥିଲା। ପଶ୍ଚିମବଙ୍ଗର ଗୋଟିଏ ବି ନିର୍ବାଚନମଣ୍ଡଳୀ ଜିତିବାରେ ବିଫଳ ହୋଇଥିବାବେଳେ ତାମିଲନାଡୁର ଡିଏମକେ ସହ ଗଠବନ୍ଧନ କରି ଦଳ ଜିତିଛି।  ପଶ୍ଚିମବଙ୍ଗରେ ଦଳ ବାମ ଦଳ ସହ ମିଶି ନିର୍ବାଚନ ଲଢ଼ିଥିଲା। ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ୪୪ଟି ଆସନ ଜିତିଥିବା ବେଳେ ଏଥର ଗୋଟିଏ ବି ଆସନରେ ବିଜୟ ହାସଲ କରି ପାରି ନାହିଁ।ଆସାମରେ କଂଗ୍ରେସ ୯୫ଟି ଆସନରେ ଲଢି ୨୯ଟିରେ ଜିତିବାକୁ ସକ୍ଷମ ହୋଇଛି। କେରଳରେ କଂଗ୍ରେସ ୨୦୧୬ ତୁଳନାରେ ଗୋଟିଏ ଆସନ ହରାଇ ୪୧ରେ ବାଜିମାତ କରିଛି। ତାମିଲନାଡୁରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟରେ କଂଗ୍ରେସ ରହିଥିଲା। ରାଜ୍ୟରେ ଦଳ ୨୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୧୮ଟିରେ ଜିତିଛି।

Related Posts