କୋଭିଡ ପାଇଁ ଚାରଧାମ୍ ଯାତ୍ରା ସ୍ଥଗିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ମହାମାରୀର ଭୟାବହତାକୁ ନଜରରେ ରଖି ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଆଗାମୀ ଚାରଧାମ ଯାତ୍ରା ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏହି ସୂଚନା ଦେଇଛନ୍ତି। ସାରା ଦେଶ ସମେତ ଉତ୍ତରାଖଣ୍ଡରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କହିଛନ୍ତି ଯେ ସରକାର ଚଳିତ ବର୍ଷ ଚାରିଧାମ ଯାତ୍ରାକୁ ବନ୍ଦ କରିଛନ୍ତି। କେବଳ ଚାରୋଟି ମନ୍ଦିରର ପୂଜକ ଏଠାରେ ପୂଜା କରିବାକୁ ଅନୁମତି ପାଇବେ। ଯାତ୍ରୀମାନଙ୍କୁ ସେଠାକୁ ଯିବାକୁ ଦିଆଯିବ ନାହିଁ ।ଏହାପୂର୍ବରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହେମକୁଣ୍ଡ ସାହିବ ଗସ୍ତ ସ୍ଥଗିତ ସ୍ଥଗିତ ରଖାଯାଇଛି। ଗୁରୁବାର ଦିନ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦର ଅଡିଟୋରିୟମରେ ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବସ୍ଥାନମ ବୋର୍ଡର ସିଇଓ ରବିନାଥ ରମଣ, ଅତିରିକ୍ତ ପର୍ଯ୍ୟଟନ ସଚିବ ଜୁଗଲ କିଶୋର ପନ୍ତ, ବୋର୍ଡର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଡି ସିଂ, ଅତିରିକ୍ତ ନିର୍ଦ୍ଦେଶକ ବିବେକ ଚୌହାନଙ୍କ ବ୍ୟତୀତ ଚମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲାର ଏସପି ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡର ଚାମୋଲିର ହେମକୁଣ୍ଡ ସାହିବ ଗୁରୁଦ୍ୱାର ଯାତ୍ରା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ କୋଭିଡ୍ ସଂକ୍ରମଣର ବୃଦ୍ଧି ଯୋଗୁଁ ଗୁରୁଦ୍ୱାର ଯାତ୍ରାକୁ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ ୫ରୁ କୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ଏପ୍ରିଲ ୧୪ ତାରିଖ ମଧ୍ୟରେ ୬୮ ସାଧୁ ସନ୍ଥ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମେଳାକୁ ବନ୍ଦ କରାଯାଇଥିଲା। ଏ ସମ୍ପର୍କରେ ଜୁନା ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ସୂଚନା ଦେଇଥିଲେ।

Related Posts