ଡାକ୍ତରଖାନାରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମୁଖ୍ୟ କିରାଣୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡାକ୍ତରଖାନାରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମୁଖ୍ୟ କିରାଣୀ ।ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଛନ୍ତି। ଭିଜିଲାନ୍ସ ହାତରେ ଧରାପଡ଼ିଥିବା କର୍ମଚାରୀ ହେଲେ ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା। ସୂଚନା ଅନୁସାରେ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ଏରିଅର ବିଲ୍‌ କରାଇ ଦେବାକୁ କହି ସ୍ବାସ୍ଥ୍ୟ କେନ୍ଦ୍ର ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୋପୀନାଥ ଲାଞ୍ଚ ବାବଦରେ ଭିଜିଲାନ୍ସ ବିଭାଗରେ ଅବଗତ କରାଇବାରୁ ହିମାଂଶୁଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଆଜି ଶ୍ରୀ ପଣ୍ଡା ୨୫ ହଜାର ଟଙ୍କା ଶ୍ରୀ ହେମ୍ବ୍ରମଙ୍କ ଠାରୁ ନେଉଥିବା ବେଳେ ବାରିପଦା ଭିଜିଲାନ୍‌ସ ଟିମ୍‌ର କର୍ମଚାରୀମାନେ ଅତର୍କିତ ଭାବେ ମାଡ଼ି ବସିଥିଲା। ତେବେ ଶ୍ରୀ ପଣ୍ଡା ପୂର୍ବରୁ ମଧ୍ୟ ଶ୍ରୀ ହେମ୍ବ୍ରମଙ୍କଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ । ଆଉ ୨୫ ହଜାର ଟଙ୍କା ନଦେଲେ ବିଲ କରେଇଦେବେ ନାହିଁ ବୋଲି କହିଥିଲେ।

Related Posts