
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ଟିକା ଅଭାବକୁ ନେଇ ଏବେ କାଠଗଡାରେ କେନ୍ଦ୍ର ସରକାର। ଗୋଟେ ପଟେ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଟିକା ରଣନୀତିକୁ ନେଇ କଡା ସମାଲୋଚନା କରୁଥିବା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ରାଜ୍ୟ ଗୁଡିକୁ ମାଗଣାରେ ଟିକା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମାଗଣା ଟୀକାକରଣ ପାଇଁ ଏକ ସ୍ବରରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହ୍ବାନ ଦେଇଛନ୍ତି। ରେଡ୍ଡି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, “ବର୍ତ୍ତମାନ ସ୍ଥିତି ରାଜ୍ୟ ବନାମ କେନ୍ଦ୍ରରେ ପରିଣତ ହୋଇଛି, ତେଣୁ ମାଗଣା ଟିକାକରଣ ପାଇଁ ଆମେ ମୁଖ୍ୟମନ୍ତ୍ରୀ ଭାବରେ ଏକ ସ୍ୱରରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଵା ଏବଂ ଭାରତକୁ ଏହି ମହାମାରୀରୁ ରକ୍ଷା କରିବା ।” ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଟୀକା ପାଇବା ପାଇଁ ଜାରି ହୋଇଥିବା ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା ଫଳପ୍ରଦ ହୋଇନାହିଁ। ରେଡ୍ଡି ନେତୃତ୍ୱାଧୀନ ସରକାର ବିଦେଶୀ କମ୍ପାନୀ ମାନଙ୍କ ଠାରୁ ଟିକା କିଣିବା ପାଇଁ ମେ ୧୩ ରେ ଏକ ଗ୍ଲୋବାଲ୍ ଟେଣ୍ଡର ଜାରି କରିଥିଲେ। ସେ ତାଙ୍କ ଚିଠିରେ ଲେଖିଛନ୍ତି, ଯେ “ବିଡ୍ ଦାଖଲ କରିବାର ତାରିଖ ୩ ଜୁନ୍ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟିକା କମ୍ପାନୀ ଆଗ୍ରହ ପ୍ରକାଶ ନକରିଥିବାରୁ ସେ ନାରଶ ହୋଇଥିବା ଉଲ୍ଲେଖ କରିଛନ୍ତି। ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଏହି ଆହ୍ବାନ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା ଚର୍ଚ୍ଚା ହେଉଛି। କାରଣ ମେ ୬ ତାରିଖରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପରିବର୍ତ୍ତେ ତାଙ୍କ ମନ କଥା କହିଥିବା ସେ କହିଥିଲେ । ତେବେ ଏହାର ଗୋଟିଏ ଦିନ ପରେ ଜଗନ ରେଡ୍ଡୀ ହେମନ୍ତ ସୋରେନଙ୍କୁ କାଉଣ୍ଟର କରି କହିଥିଲେ ଯେ ଏଭଳି ସମୟରେ ରାଜନୀତି କରିବା ଦ୍ୱାରା ଆମ ନିଜ ଦେଶ ଦୁର୍ବଳ ହେଉଛି । ତେବେ ଟିକା ଅଭାବକୁ ନେଇ ଦିଲ୍ଲୀ ସମେତ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ଦିନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜ୍ୟର ସମସ୍ତ ବୟସ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଅନୁରୋଧ କରିଛନ୍ତି। ସେହିପରି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ୧୧ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି
ଅନୁରୋଧ କରିଛନ୍ତି ଯେ କେନ୍ଦ୍ର ସରକାର କରୋନା ଟିକା କିଣି ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇଦେବା ପାଇଁ ଚାପ ପକାଇବାକୁ ଆହ୍ବାନ ଦେଇଥିଲେ।