ନିର୍ବାଚନ ହିଂସାକୁ ନେଇ ବିଧାନସଭାରେ ହଙ୍ଗାମା; ପ୍ରଶ୍ନକାଳ ବରବାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନକଚ ନେଇ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି । ଏପରିକି ବୁଥକୁ ଜବରଦସ୍ତି ପ୍ରବେଶ କରିବା, ଷ୍ଟ୍ରଙ୍ଗରୁମକୁ ସରକାରୀ ଅଧିକାରୀ ଛଦ୍ମବେଶରେ ଯିବା, ଆଇନଶୃଙ୍ଖଳା ଓ ନିର୍ବାଚନ ହିଂସାକାଣ୍ଡକୁ ନେଇ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ବିଧାନସଭାର ପ୍ରଶ୍ନକାଳ ବରବାଦ ହୋଇଯାଇଥିଲା । ସେପଟେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ । ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଭୁବନେଶ୍ୱର, ନୟାଗଡ଼, ବଲାଙ୍ଗୀର ଆଦି ସ୍ଥାନରେ ହିଂସାକାଣ୍ଡ ହୋଇଥିବାବେଳେ ପୁଲିସର ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ ।

ସେ କହିଥିଲେ ଯେ ବଲାଙ୍ଗୀର ମ୍ୟୁନିସିପାଲିଟିରେ ଇଭିଏମରେ କଂଗ୍ରେସ ପାର୍ଟି ଚିହ୍ନ ଉପରେ ଷ୍ଟିକର ମାରି ଦିଆଯାଇଥିଲା । ଗୁଣ୍ଡାମାନଙ୍କୁ ଧରି ବିଥ ଭିତରକୁ ଯାଉଛନ୍ତି । ତାଙ୍କୁ ଦେଖି ଭୋଟରମାନେ ଭୟଭୀତ ହେଉଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ବିପଦ ଅଟେ । ପ୍ରଶ୍ନୋତ୍ତର ଆଲୋଚନା କରିବା ପୂର୍ବରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି ସେ ଦାବି କରିଥିଲେ । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ ଚନ୍ଦ୍ର ରାଉତରାୟ, ରମେଶ ଜେନା ଓ ଅନ୍ୟ ସଦସ୍ୟମାନେ ହୋହଲ୍ଲା କରିବା ସହ ଗୃହରେ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୦ଟା ୩୨ ମିନିଟରୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Related Posts