ସାନଭାଇର କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାନଭାଇର କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଜ୍ଞାନପାଲି ଗ୍ରାମରେ । ପାରିବାରିକ ସମସ୍ୟା ନେଇ ଗତ ରାତ୍ରିରେ ଦୁଇ ଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ କଟୁରିରେ ବଡ଼ଭାଇ ଫୁଲଜେମ୍ସ ଲାକ୍ରାକୁ ଆକ୍ରମଣ କରିଥିଲା। କଟୁରି ଚୋଟରେ ବଡ଼ଭାଇ ଫୁଲଜେମ୍ସ ଲାକ୍ରାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ହତ୍ୟାକାରୀ ସାନଭାଇ ଦିଲାରୁଷ ଲାକ୍ରା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ରାଜଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି।ସୂଚନାଯୋଗ୍ୟ, ରାଜଧାନୀରେ ଏୟାରଫିଲଡ ଥାନା ଅଞ୍ଚଳରେ ବଡ଼ଭାଇକୁ ସାନଭାଇ ହାଣିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏୟାରଫିଲଡ ଥାନା ଅଧୀନ ବୋତଣ୍ଡା ଅଞ୍ଚଳର ବ ପ୍ରକାଶ ବେହେରାଙ୍କୁ ତାଙ୍କ ସାନଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

ସାମାନ୍ୟ କଳହକୁ କେନ୍ଦ୍ରକରି ସାନଭାଇ ବଡ଼ଭାଇକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ନେଇ ଏୟାରଫିଲଡ ଥାନାରେ ଅଭିଯୋଗ ହୋଇଛି। ଖଣ୍ଡାରେ ହାଣି ସାରିବା ପରେ, ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି। ଏପରିକି ବଡ଼ଭାଇକୁ ହାଣି ସାରିବା ପରେ, ଅଭିଯୁକ୍ତ ସିଗାରେଟ ଟାଣି ଭିଲେନ ଭଳି ପୋଜ ଦେଇ ଫେସବୁକରେ ‘ପକା ଖୁସି ତ’ ବୋଲି ଲେଖି ପୋଷ୍ଟ କରିଛି। ଘଟଣା ପରେ କୋଭିଡରେ ଆକ୍ରାନ୍ତ ସ୍ତ୍ରୀ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ, ରାକେଶ ଓରଫ ରାକା ନାଁରେ ଥାନାରେ ଅଭିଯୋଗ କରିବା ସହ ସେ ଆତଙ୍କିତ ଥିବା କହିଛନ୍ତି। ଅନ୍ୟପଟେ ଗତ ୩୦ ତାରିଖରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି।

Related Posts