ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପ୍ରସିଦ୍ଧ ଗୋଷାଣୀ ଯାତ୍ରା: ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେଉଛନ୍ତି। ସମସ୍ତେ ସିଂହଦ୍ଵାର ଠାରେ ଏକାଠି ହେବାପରେ ଲାଗୁଛି ଯେମିତି ସିଂହଦ୍ୱାରରେ ଚାଲିଛି ଦେବୀସଭା। ମାଆ ବାରବାଟୀ, ଜହ୍ନିଖାଇ, ଶୂନ୍ଯଗୋଷାଣୀ, ବେଲବାଇ, ଗେଲବାଇ, ନାଗା, ସିମ୍ପାଥି, ବୁଢାବୁଢି, ଦଶମୁଣ୍ଡିଆ ରାବଣ ଆଦି ମାଆଙ୍କର ବିଭିନ୍ନ ରୂପର ଆକର୍ଷଣୀୟ ଗୋଷାଣି ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

ବିଧି ଓ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଗତକାଲି ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାଦୀପ ଉଠିଲେ ଦର୍ଶନ କରି ଗୋଷାଣୀ ମାନେ ଜଣେ ପରେ ଜଣେ ମେଲାଣିରେ ବାହାରିଥାନ୍ତି। କିନ୍ତୁ ଗତକାଲି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଗୋଷାଣୀ ଯାତ ଅନୁଷ୍ଠିତ ହୋଇନଥିଲା। ତେବେ ଦୁଇବର୍ଷ ପରେ କରୋନା କଟକଣା ହଟିଯାଇଥିବାରୁ ଗୋଷାଣୀ ଯାତ ତଥା ଦେବୀ ସଭା ଦେଖିବା ପାଇଁ ଆଜି ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି।

ସେପଟେ ଦେବୀ ସଭା ପରେ ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ମଙ୍ଗଳାଘାଟରେ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି।

Related Posts