ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ବିଚାରପତି

ଚେନ୍ନାଇ: କରୋନା ମହାମାରୀ ପାଇଁ ଦେଶରେ ସବୁ କିଛି ଯେପରି ପ୍ରଭାବିତ ହୋଇଥିଲା | ଏପରିକି ବିଚାର ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା | ଅନଲାଇନ ମଧ୍ୟରେ ବିଚାର ହୋଇଥିଲା | ତେବେ ଏହାରି ମଧ୍ୟରେ ଦେଶରେ ପ୍ରଥମ ଥର ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟର ବିଚାରପତି ଜି ଆର ସ୍ବାମୀନାଥନ ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ନେଇ ହୋଇଥିବା ଆବେଦନର ହ୍ବାଟ୍ସଆପରେ ଶୁଣାଣି କରିଛନ୍ତି । ସୂଚନା ଅନୁଯାୟୀ, ରବିବାର ଦିନ ଜଷ୍ଟିସ ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନଗରକୋଏଲ ଯାଇଥିଲେ । ସେଠାରେ ସେ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଥିଲେ ।

ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନ୍ଦିରର ଟ୍ରଷ୍ଟି ପି ଆର ଶ୍ରୀନିବାସନ କୋର୍ଟରେ ଆବଦେନ କରିଥିଲେ । ଯଦି ସୋମବାର ଦିନ ରଥଯାତ୍ରା ନ ହୁଏ, ତେବେ ପୁରା ଗାଁ ଭଗବାନଙ୍କ କୋପର ସମ୍ମୁଖୀନ ହେବ ବୋଲି ସେ ଆବଦେନରେ କହିଥିଲେ । ଏନେଇ ବିଚାରପତି କହିଛନ୍ତି, ”ଆବେଦନକାରୀଙ୍କ ଆନ୍ତରିକ ନିବେଦନ ଯୋଗୁଁ ନାଗରକୋଏଲରେ ରହି ମୁଁ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଛି ।”

ବିଚାରପତି ନାଗରକୋଏଲ ରହି ମାମଲାର ଶୁଣାଣି କରିଥିଲେ । ଆବେଦନକାରୀ ଏବଂ ଆଡଭୋକେଟ ଜେନେରାଲ ଭିନ୍ନ ସ୍ଥାନରେ ରହି ଶୁଣାଣିରେ ସାମିଲ ହୋଇଥିଲେ । ଧର୍ମାପୁରୀ ଜିଲ୍ଲୀରେ ଥିବା ମନ୍ଦିରକୁ ନେଇ ଏହି ଶୁଣାଣି ହୋଇଥିଲା । ମନ୍ଦିରରେ ରଥଯାତ୍ରା ବନ୍ଦ ପାଇଁ ହିନ୍ଦୁ ରିଲିଜିୟସ ଆଣ୍ଡ ଚାରୁଟେବୁଲ ଟ୍ରଷ୍ଟର ଇନ୍ସପେକ୍ଟର ନିର୍ଦ୍ଦେଶ ଦେଇଥିବା ବେଳେ ବିଚାରପତି ଏହାକୁ ଖାରଜ କରିଦେଇଥିଲେ । ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେବାର ତାଙ୍କର ଅଧିକାର ନାହିଁ ବୋଲି କହିଥିଲେ ।

ମାମଲାର ଶୁଣାଇ ବେଳେ ଆଡଭୋକେଟ ଜେନେରାଲ ତାନଞ୍ଜୁଭର ଜିଲ୍ଲାରେ ଘଟିଥିବା ଅଘଟଣ ପ୍ରସଙ୍ଗ ଉଠାଇଥିଲେ । ”ସରକାର ଯାତ୍ରାକୁ ବିରୋଧ କରୁନାହାନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସରକାର ଚିନ୍ତିତ । ସୁରକ୍ଷା ବ୍ୟବସ୍ଥା ବିଫଳ ହେବା ଯୋଗୁଁ ନିକଟରେ ତାନଞ୍ଜୁଭର ଶୋଭାଯାତ୍ରାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାର ପୁନରାବୃତ୍ତି ହେବା ଉଚିତ୍ ନୁହେଁ” ବୋଲି ଏଜି କହିଥିଲେ । ବିଚାରପତି ସ୍ବାମୀନାଥନ ସମସ୍ତ ଘଟଣାକୁ ବିଚାର କରି ସରକାରଙ୍କ ନିୟମ ଓ କଟକଣାକୁ ମାନି ଯାତ୍ରା ପାଳନ କରିବାକୁ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts