ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ନେବ : ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ। ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ନେବ ବୋଲି କହିଛନ୍ତି ହାଇକୋର୍ଟ। ଗତକାଲି ବିବାଦ ଦେଖାଦେଇଥିବା ବେଳେ ଆଜି ହାଇକୋର୍ଟ ଙ୍କର ଏହି ନିଷ୍ପତ୍ତି ଆସିଛି।

ସୂଚନା ଥାଉକି, କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା।ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୁଲିସ୍। ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡାକି ତାଗିଦ୍ ମଧ୍ୟ କରିଥିଲା। ପୁଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟ ଯାଇଥିଲେ।

ସୂଚନା ମୁତାବକ, ଖାଲି କଟକ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶଙ୍କ ବିକୃତ ତଥା ବିଦ୍ରୁପ ମୂର୍ତ୍ତି ତିଆରି କରାଯାଉଛି। କେଉଁଠି ବିଘ୍ନ ବିନାଶକଙ୍କ ରୁଦ୍ର ରୂପ ତ କେଉଁଠି ମୂର୍ତ୍ତିରେ ଗଜାନନ ସିଂହ ଉପରେ ବିରାଜମାନ କରିଛନ୍ତି। ପୁଣି କେଉଁଠି ଗଣେଶ ଘୋଡା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ ଉପରେ। ମୂର୍ତ୍ତି କାରିଗରମାନେ ନିଜ ମନଇଚ୍ଛା ଏବଂ ଲୋକଙ୍କ ବରାଦିରେ ଏଭଳି ମୂର୍ତ୍ତି ତିଆରି କରୁଛନ୍ତି। ଯାହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯିବା ସହ ପୁଲିସରେ ଅଭିଯୋଗ ପରେ ମୂର୍ତ୍ତି ନିର୍ମାଣ ବିବାଦ ଉପୁଜିଛି।

Related Posts