ଦେଶ ଛାଡି ଯିବାକୁ ଚେଷ୍ଟା କରୁଥିଲେ ରାଷ୍ଟ୍ରପତିଙ୍କ ଭାଇ; ଏୟାରପୋର୍ଟରେ ମାଡ଼ି ବସିଲେ ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ଉଭୟ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଖା ଦେଇଛି। ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ଠାରେ ପଡିଛି । ଏପରିକି ବର୍ତ୍ତମାନ ଦେଶର ସ୍ଥିତି ପୂରା ଅଣାୟତ୍ତ ରହିଛି। ଉତ୍କଟ ଆର୍ଥିକ ସଙ୍କଟ ଏପରି ସ୍ଥିତିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରିବାର ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ଦେଶବାସୀ। ଉଭୟଙ୍କ ସରକାରୀ ବାସଭବନକୁ କବଜା କରିନେଇଛନ୍ତି ଲୋକେ। ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ଟେମ୍ପଲ ଟ୍ରି ବାସଭବନରେ ଲୋକେ ପଶି ଭଙ୍ଗାରୁଜା କରିବା ସହ ତାଙ୍କ ଜିନିଷପତ୍ର ବ୍ୟବହାର କରିବା ଦେଖିବାକୁ ମିଳିଛି।

ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବାକୁ ରାଜି ହେବା ସହ ଦେଶ ଛାଡି କୁଆଡେ ପଳାୟନ କରିଛନ୍ତି। ଏହାରି ଭିତରେ ରାଷ୍ଟ୍ରପତିଙ୍କ ଭାଇ ତଥା ପୂର୍ବତନ ମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ସୋମାବାର ଦେଶ ଛାଡି ଚାଲିଯିବାକୁ ଚେଷ୍ଟା କରୁଥିଲେ। ହେଲେ କଲମ୍ବୋ ବିମାନବନ୍ଦରରେ ତାଙ୍କୁ ମାଡି ବସିଥିଲେ ବିକ୍ଷୋଭକାରୀ। ଏୟାରପୋର୍ଟରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିମାନବନ୍ଦର ଅଧିକାରୀ ଓ କର୍ମଚାରୀ। ତାଙ୍କୁ ଯିବାକୁ ଛାଡିନଥିଲେ। ଫଳରେ ତାଙ୍କୁ ବାଧ୍ୟ ହୋଇ ଫେରିବାକୁ ପଡିଥିଲା।

ସେ ଦେଶ ଛାଡି ଦୁବାଇ ରାସ୍ତା ଦେଇ ଆମେରିକା ଯିବାକୁ ଚେଷ୍ଟା କରୁଥିଲେ। ସେ ବିମାନବନ୍ଦରର ଭିଆଇପି ଟର୍ମିନାଲ ତଥା ସିଲ୍କ ରୁଟ୍‌ ଜରିଆରେ ଦେଶ ଛାଡିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକେ ତାଙ୍କୁ ସେଠାରେ ପ୍ରବଳ ବିରୋଧ କରିଥିଲେ। ସୋମବାର ବିଳମ୍ବିତ ରାତିରେ ସେ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ପ୍ରବଳ ବିରୋଧ ଯୋଗୁ ତାଙ୍କୁ ଭୋଟ ୩.୧୫ ଯାଏଁ ଏୟାରପୋର୍ଟରେ ହିଁ ରହିବାକୁ ପଡିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts