ରାଜ୍ୟ ସରକାରଙ୍କ ଦାବି ୨୪ ପ୍ରତିଶତ ଗରିବୀ ହଟିଛି – ସେପଟେ ଗରିବ କଲ୍ୟାଣ ଖାଦ୍ୟଶସ୍ୟ ଉଠେଇବାରେ ଓଡ଼ିଶା ଦ୍ଵିତୀୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି ଯେ, ରାଜ୍ୟରୁ ୨୪ ପ୍ରତିଶତ ଗରିବୀ ହଟିଛି। କିନ୍ତୁ ବାସ୍ତବ ସ୍ଥିତି ଏହାଠାରୁ ଭିନ୍ନ। କାରଣ ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ଖାଦ୍ୟଶସ୍ୟ ଉଠାଣରେ ଓଡ଼ିଶାର ସ୍ଥାନ ସମଗ୍ର ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ତେବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ତଥ୍ୟ କହୁଛି ଯେ, ଚଳିତବର୍ଷ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଓଡ଼ିଶା ୯୨ ପ୍ରତିଶତ ଅର୍ଥାତ୍ ୭୪୬୫୧୬ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉଠାଣ କରିପାରିଛି । ତେବେ ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଚତୁର୍ଥ ପର୍ଯ୍ୟାୟରେ ୧୫ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଖାଦ୍ୟଶସ୍ୟ ଉଠାଣ ହାର ମାତ୍ର ୫୬.୫୩ ପ୍ରତିଶତ ରହିଛି ।

ଯେତେବେଳେ କରୋନା ମହାମାରୀ ଭାରତରେ ପ୍ରବେଶ କଲା ସେତେବେଳେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ ଘୋଷଣା କଲେ । ଏଥିପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରତିବ୍ୟକ୍ତିଙ୍କୁ ମାସିକ ଅତିରିକ୍ତ ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଣ ବ୍ୟବସ୍ଥା କଲେ ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଯେତିକି ଖାଦ୍ୟ ଶସ୍ୟ ମିଳୁଥିଲା ତାହା ସଙ୍ଗେ ସଙ୍ଗେ ଅତିରିକ୍ତ ଭାବେ ହିତାଧିକାରୀଙ୍କୁ ଏହି ମାଗଣା ଖାଦ୍ୟଶସ୍ୟ ମିଳିବ ।

କରୋନାର ପ୍ରଥମ ତରଙ୍ଗ ଅର୍ଥାତ୍ (ଏପ୍ରିଲ ରୁ ନଭେମ୍ବର ୨୦୨୦) ଆଠ ମାସ ସମୟ ଏବଂ କରୋନାର ଦ୍ବିତୀୟ ତରଙ୍ଗ (ମଇ ରୁ ନଭେମ୍ବର ୨୦୨୧) ସାତ ମାସ ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

Related Posts