ରାଜ୍ୟରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି : ନରସିଂହ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଆଇନର ଶାସନ ନାହିଁ । ଜଙ୍ଗଲରାଜ ଚାଲିଛି । ପୁଲିସ କହିଲେ ବିଜେଡ଼ି ଟିକେଟ ମିଳୁଛି । ଶାସକ ଦଳ ପାଇଁ ଭୋଟ ସଂଗ୍ରହ ନିମନ୍ତେ ପୁଲିସ ଲାଂଚ ଦେବାକୁ ବି ପଛାଉନାହିଁ । ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି । ମହିଳାଙ୍କୁ ନ୍ୟାୟ ମିଳୁନାହିଁ । ଗୁଣ୍ଡାମାନଙ୍କ ପ୍ରାଦୁର୍ଭାବ ପଡ଼ିଛି ।ଖଣି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ବିଫଳ ହୋଇଛନ୍ତି । ଏହିଭଳି କହି ବିଧାନସଭାରେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଆଜିକଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏ ସରକାର ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ସରକାର । ଦୁର୍ନୀତି ପାଇଁ ଥିବା ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉନାହିଁ । ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବିଫଳ ହୋଇଛନ୍ତି । ମାଇନିଂରୁ ଆସୁଥିବା କଳାଧନ ଏବେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛି । ଶାସକ ଦଳର ଭୋଟ ପାଇଁ ଭୋଟରଙ୍କୁ ପୁଲିସ ଲାଂଚ ଦେଉଛି । ଗୁଣ୍ଡାମାନେ ଭୋଟରଙ୍କୁ ଧମକାଉଛନ୍ତି । କିନ୍ତୁ ଅଭିଯୋଗ କଲେବି ପୁଲିସ ନୀରବଦ୍ରଷ୍ଟା ସାଜିଛି । ରାଜ୍ୟରେ ଆଇନର ଶାସନ ନାହିଁ, ଜଙ୍ଗଲ ରାଜ ଚାଲିଛି । ଅପରାଧିଙ୍କ ବାହାଘରରେ ପୁଲିସ ଅତିଥି ସାଜିଛି । ଓଡ଼ିଶାରେ ଅପରାଧ ହାର ଉଦବେଗଜନକ ଭାବେ ବଢ଼ିଚାଲିଛି ବୋଲି ନରସିଂହ କହିଥିଲେ ।

Related Posts