
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ରହିଥିବା ତାରିଖ ଦିନ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ନ ରହି ନିର୍ବାଚନ ପ୍ରଚାର କରୁଛନ୍ତି। ଏହିଭଳି ଅଭିଯୋଗ ଆଣି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତରଫରୁ କଟକ ପରିବାର ଅଦାଲତରେ ଏକ ପିଟିସନ ଦାଖଲ କରାଯାଇଛି। ପରିବାର ଅଦାଲତରେ ଚାଲିଥିବା ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି ଓ ସାକ୍ଷ୍ୟ ଗ୍ରହଣ ଅକ୍ଟୋବର ୩୧, ନଭେମ୍ବର ୧ ଓ ୨ ତାରିଖ ତିନଦିନି ଧରି ହେବ ବୋଲି ଧାର୍ଯ୍ୟ କରାଯାଇଥିଲା।
ସେହି ଅନୁସାରେ ଗତ ଅକ୍ଟୋବର ୩୧ରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ଥିବାବେଳେ ମଙ୍ଗଳବାର ପୁଣି ସାକ୍ଷ୍ୟ ଗ୍ରହଣ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ମଙ୍ଗଳବାର ବର୍ଷାଙ୍କ ତରଫରୁ ଅଧିକ ସମୟ ଲୋଡ଼ି ଏକ ପିଟିସନ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ, ଅନୁଭବଙ୍କ ତରଫରୁ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ବର୍ଷା ନିର୍ବାଚନ ପ୍ରଚାର କରୁଥିବା ବେଳେ ଅଦାଲତକୁ ଆସୁନାହାନ୍ତି। ମାମଲାର ତ୍ବରିତ୍ ଶୁଣାଣି ପାଇଁ ସହଯୋଗ କରିବେ ବୋଲି ବର୍ଷା ପୂର୍ବରୁ ଅଦାଲତରେ ସତ୍ୟପାଠ ଦେଇଥିଲେ। ଏହି ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ ବୋଲି ଅନୁଭବଙ୍କ ପିଟିସନରେ ଦର୍ଶାଯାଇଥିଲା।
ଏଥିସହିତ, ଏକ ପେନ୍ ଡ୍ରାଇଭ୍ ମଧ୍ୟ ଅନୁଭବଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଛି। ଏହି ପେନ୍ ଡ୍ରାଇଭ୍ରେ ପିଟିସନରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ତଥ୍ୟ ପ୍ରମାଣ ରହିଛି ବୋଲି କୁହାଯାଇଥିଲା। ଏଥିସହିତ ବର୍ଷା ସାକ୍ଷ୍ୟ ସତ୍ୟପାଠ ସହିତ ଦାଖଲ କରିଥିବା ଦୁଇଶହରୁ ଅଧିକ ପୃଷ୍ଠାର ନଥିପତ୍ର ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଅନୁଭବଙ୍କ ତରଫରୁ ପୂର୍ବରୁ ଦାଖଲ ପିଟିସନ ଉପରେ ଆଜି ଶୁଣାଣି ହୋଇଥିଲା। ମାମଲାରେ ପୂର୍ବରୁ ବର୍ଷାଙ୍କ ତରଫରୁ ଦାଖଲ କରାଯାଇଥିବା ଜବାବରେ ଏହିସବୁ ନଥିପତ୍ର ସଂକ୍ରାନ୍ତରେ ଉଲ୍ଲେଖ କରାଯାଇ ନଥିଲା। ଏହିସବୁ ନଥିପତ୍ର ମଧ୍ୟରୁ କେତେକ ମାମଲା ଦାଖଲ ପୂର୍ବର ହୋଇଥିବା ବେଳେ ଏ ସଂକ୍ରାନ୍ତରେ ବର୍ଷାଙ୍କ ଜବାବରେ ତଥ୍ୟ ନଥିଲା। ଏଭଳି ସ୍ଥିତିରେ ବର୍ଷାଙ୍କ ତରଫରୁ ଦାଖଲ ନଥିପତ୍ର ଗ୍ରହଣୀୟ ନୁହେଁ। ଏହା କେବଳ ମାମଲା ଶୁଣାଣି ବିଳମ୍ବିତ କରିବାକୁ ଦାଖଲ କରାଯାଇଛି ବୋଲି ଅନୁଭବଙ୍କ ପିଟିସନରେ ଉଲ୍ଲେଖ କରାଯାଇଥିଲା। ତେବେ, ବୁଧବାରକୁ ପୁଣି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଓ ଶାଶ୍ବତ ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।