ଏଥର ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ କୌଣସି ବିଦେଶୀ ଅତିଥି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବ୍ୟାପିବାରେ ଲାଗିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ସଂକ୍ରମଣ ମଧ୍ୟରେ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ହେଲେ ଏଥର ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ କୌଣସି ବିଦେଶୀ ଅତିଥି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ସେପଟେ ଗତବର୍ଷ କରୋନା ମହାମାରୀ ମଧ୍ୟରେ ୨୫ ହଜାର ଲୋକଙ୍କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗଦେବାକୁ ଅନୁମତି ମିଳିଥିବାବେଳେ, ଚଳିତଥର ଏହାକୁ କମାଇ ୨୪ ହଜାର କରାଯାଇଛି ।

ଅନ୍ୟପଟେ ସାଧାରଣତନ୍ତ୍ର ଦିବସରେ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦେବାର ପରମ୍ପରା ରହିଆସୁଛି । ହେଲେ ଏଥର ମଧ୍ୟ ପୂର୍ବବର୍ଷ ଭଳି ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କାହାକୁ ନିମନ୍ତ୍ରଣ ଦିଆଯାଇ ନାହିଁ । ଚଳିତବର୍ଷ ଉଜବେକିସ୍ତାନ, ତୁର୍କମେନିସ୍ତାନ, କାଜାକିସ୍ତାନ, କିର୍ଗିଜ ଗଣରାଜ୍ୟ ଓ ତାଜିକିସ୍ତାନର ନେତାଙ୍କୁ ଆମନ୍ତ୍ରଣ କରିବାର ଯୋଜନା ଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚଳିତବର୍ଷ ପ୍ୟାରେଡରେ ୨୪ ହଜାର ଲୋକ ସାମିଲ ହେବେ । ଏମାନଙ୍କ ମଧ୍ୟରୁ ୧୯ ହଜାର ଲୋକଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଛି । ଅବଶିଷ୍ଟ ୫ ହଜାର ସାଧାରଣ ଜନତା ଟିକେଟ କିଣି ଏହି ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି ।

Related Posts