ଆଜି ପଶ୍ଚିମବଙ୍ଗରେ ଟିଏମସି ପାଳନ କରୁଛି ‘ଖେଲା ହୋବେ ଦିବସ’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୃଣମୂଳ କଂଗ୍ରେସ (ଟିଏମସି) ଆଜି ପଶ୍ଚିମବଙ୍ଗରେ ‘ଖେଲା ହୋବେ ଦିବସ’ ପାଳନ କରୁଛି। ଏହି ଅବସରରେ ଦଳର ନେତାମାନେ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମବଙ୍ଗରେ ଫୁଟବଲ ମ୍ୟାଚ୍‌ ଆୟୋଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କ ଅଧିକ ରୁ ଅଧିକ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ଆହୁରି କହିଛନ୍ତି ଯେ, ‘ଖେଲା ହୋବେ ବିବସ’ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଗତ ବର୍ଷ ଏହି କାର୍ଯ୍ୟକ୍ରମର ଦୃଷ୍ଟାନ୍ତମୂଳକ ସଫଳତା ପରେ ଆମେ ଆଜି ଯୁବବର୍ଗଙ୍କ ଦ୍ୱାରା ଏଥିରେ ଅଧିକ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛୁ। ଆଜି ଆମର ଯୁବ ନାଗରିକଙ୍କ ଉତ୍ସାହକୁ ବଜାୟ ରଖିବା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ହାଇ-ଆକ୍ସନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ‘ଖେଲା ହୋବେ’ (ଖେଳ ହେବ) ଥିଲା ଟିଏମସି ନିର୍ବାଚନ ପ୍ରଚାରର ଟ୍ୟାଗ୍‌ ଲାଇନ୍‌। ଯେତେବେଳେ ଦଳ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ବିଜେପିକୁ ପରାସ୍ତ କରିଥିଲା।

ସୂଚନା ଅନୁସାରେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଗତ ବର୍ଷ ଘୋଷଣା କରିଥିଲେ ଯେ ଅଗଷ୍ଟ ୧୬କୁ ରାଜ୍ୟରେ ‘ଖେଲା ହୋବେ ଦିବସ’ ଭାବରେ ପାଳନ କରାଯିବ। ୧୯୮୦ରେ କୋଲକାତାର ଇଡେନ୍‌ ଗାର୍ଡେନରେ ଏକ ଫୁଟବଲ୍‌ ମ୍ୟାଚ୍‌ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ସମ୍ମାନରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯିବ। ବରିଷ୍ଠ ଟିଏମସି ନେତା ତାପସ ରାୟ କହିଛନ୍ତି, ଦଳର ସମସ୍ତ ନେତାଙ୍କୁ ରାଜ୍ୟର ପ୍ରତ୍ୟେକ ବ୍ଲକରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Posts