ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ଶ୍ରୀକ୍ଷେତ୍ରରୁ ୨୪ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ଆଜି ବିଜୁ ଜନତା ଦଳ ପାଳିବ ୨୫ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆଠାରେ ରାଜ୍ୟସ୍ତରୀୟ ସମା‌ବେଶ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର ଦଳୀୟ କର୍ମୀ ଏହି ସମାବେଶରେ ଯୋଗଦେବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରିବେ। ୨୦୨୪ ନିର୍ବାଚନ ପାଇଁ ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବାକୁ ଗୁରୁମନ୍ତ୍ର ଦେବେ ନବୀନ।

ସେହି ଅନୁଯାୟୀ ପୁରୀ ତାଳବଣିଆ ପଡିଆରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଭାସ୍ଥଳରେ ବଡ଼ ବଡ଼ ଟେଣ୍ଟ୍‌ ବନ୍ଧାଯାଇଛି। ସଭାସ୍ଥଳ, ପାର୍କିଂ, ଭୋଜନ ଆଦି ପାଇଁ ଭିନ୍ନ ଭିନ୍ନ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି। ଯେହେତୁ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗଦେବେ, ‌ସେଦୃଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବିଶେଷ କରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ କେଉଁଠି ଓ‌ହ୍ଲାଇବେ, ଯେଉଁ ରାସ୍ତାରେ ସଭାସ୍ଥଳକୁ ଯିବେ, ତାର ରୁଟ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ସେପଟେ ବହୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ବି ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଆଜି ପୁରୀ‌ରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ଏହି ସମାରୋହ ପାଇଁ ସକାଳ ୯ଟାରୁ ପଞ୍ଜୀକରଣ ଆରମ୍ଭ ହେବ ଓ ପୂର୍ବାହ୍ଣ ୧୦ଟାରେ ସଭା ଆରମ୍ଭ ହେବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ନେତାମାନେ ଉଦ୍‌ବୋଧନ ଦେବେ। କେଉଁ ନେତା କେଉଁ ବିଷୟରେ କହିବେ, ତାହାର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଯାଇଛି। ତେବେ ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ଆସି ‌ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରି ସିଧାଳସଖ ସଭାସ୍ଥଳକୁ ଯିବେ। ରାଜ୍ୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ବ୍ଲକ୍‌, ପଞ୍ଚାୟତ, ‌ବିଜୁ ଛାତ୍ର, ଯୁବ, ମହିଳା, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ କର୍ମକର୍ତ୍ତା ଏହି ସମାରୋହରେ ଯୋଗଦେବେ। ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ସହରାଞ୍ଚଳ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ବି ଯୋଗଦେବେ। ମୁଖ୍ୟମନ୍ତ୍ରୀ ଏଥିରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନୂଆବର୍ଷରୁ ନୂଆ ରଣନୀତି ସହ କ୍ଷେତ୍ର ପ୍ରସ୍ତୁତ କରିବା ସହ ଦଳର ସାଂଗଠନିକ କାର୍ଯ୍ୟକୁ ତ୍ରୁଣମୂଳସ୍ତରରୁ ଆହୁରି ସୁଦୃଢ଼ କରିବାକୁ ଆହ୍ବାନ ଦେବେ। ଦଳ ବିଗତ ୨୫ ବର୍ଷ ଧରି କିଭଳି ସଫଳତା ହାସଲ କରିଛି ଓ ଆଗକୁ କିଭଳି ଏହି ସଫଳତା ବଜାୟ ରଖିବ, ସେ ଉପରେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବେ ବୋଲି ସୂଚନା ମିଳିଛି।

Related Posts