ଏକାଠି ହେଲେ ବିଜେପି ବିରୋଧୀ; ଉଦ୍ଧବ ଠାକରେଙ୍କ ସହ ଲଞ୍ଚ କଲେ କେସିଆର

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଏକାଠି ହେଲେ ବିଜେପି ବିରୋଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସିରିଜ୍ ବାଲାଷ୍ଟିକ ଆକ୍ରମଣ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ବିଜେପି ବିରୋଧୀ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ ଆଉ ଗୋଟିଏ ପାଦ ବଢ଼ାଇଛନ୍ତି। ଏଥିପାଇଁ ସେ ଆଜି ମୁମ୍ବାଇ ଆସି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଉଦ୍ଧବ ଓ କେସିଆରଙ୍କ ଏକାଠି ଲଞ୍ଚ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହ ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ମଧ୍ୟ ଭେଟିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଗୋଟିଏ ଅଣ କଂଗ୍ରେସ ମେଣ୍ଟ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ମେଣ୍ଟ ସାଧାରଣ ନିର୍ବାଚନ ବେଳେ ବିଜେପିକୁ ଟକ୍କର ଦେବ। ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ କେସିଆର ଆଗକୁ ପାଦ ବଢ଼ାଇଥିବା ବେଳେ ଉଦ୍ଧବ ଓ ଶରଦ ପାୱାର ତାଙ୍କୁ ସାଥ ଦେଇଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ପ୍ରତିଷ୍ଠା ଏଚ୍ଡି ଦେବଗୌଡ଼ା ମଧ୍ୟ କେସିଆରଙ୍କ ବିଜେପି ବିରୋଧୀ ମେଳିକୁ ସମର୍ଥନ ଘୋଷଣା କରିଛନ୍ତି।

ଏସବୁ ଭିତରେ କେସିଆର ଓ ଉଦ୍ଧବଙ୍କ ଲଞ୍ଚ ରାଜନୀତି ନୂଆ ଚର୍ଚ୍ଚା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, କେସିଆର ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ କାମ ଆରମ୍ଭ କରିଛନ୍ତି। ସେ ବିଜେପି ସହ ଲଢ଼େଇ କରିବାକୁ ଗୋଟିଏ ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ କରିବାକୁ ଚାହୁଁଛନ୍ତି। ଏଥିସହ ସେ ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହିକ୍ରମରେ ସେ ଆଜି ମୁମ୍ବାଇ ଆସିଛନ୍ତି। କେସିଆରଙ୍କୁ ସ୍ୱାଗତ କରିବାରେ ଉଦ୍ଧବ ଠାକରେ ଓ ତାଙ୍କ ଦଳ ଶିବସେନା ମଧ୍ୟ କୌଣସି ଅବହେଳା କରିନାହିଁ। କେସିଆର ମୁମ୍ବାଇ ଆସିଥିବାରୁ ଶିବସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧବ ଠାକରେଙ୍କ ସହ ତାଙ୍କର ପୋଷ୍ଟ ମରାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଉଦ୍ଧବଙ୍କ ବଗିଚାରେ କେସିଆର ଚା’ ପିଉଛନ୍ତି। ଏହି ସମୟରେ ଉଦ୍ଧବ ଓ ତାଙ୍କ ସାନ ପୁଅ ତେଜାସ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। କେସିଆରଙ୍କ ସହ ତାଙ୍କ ଝିଅ ଓ କିଛି ସାଂସଦ ମଧ୍ୟ ଆଜି ମୁମ୍ବାଇ ଆସିଛନ୍ତି। ସେମାନଙ୍କୁ ଉଦ୍ଧବ ଠାକରେ ସ୍ୱାଗତ କରିଥିଲେ।

Related Posts